ପେଟ ପୋଷିବା ପାଇଁ ମହୁଲ ଗୋଟାଉଛନ୍ତି ଜାତୀୟ ସ୍କୁଲ ତୀରନ୍ଦାଜି ଖେଳାଳି

ପଡିଆ: ଓଡ଼ିଶାର ସୀମାନ୍ତ ଜିଲ୍ଲା ମାଲକାନଗିରି ଜିଲ୍ଲାରୁ ହାତ ଗଣତି ଖେଳାଳି ରାଜ୍ୟ ସ୍ତରୀୟ କିମ୍ବା ଜାତୀୟ ସ୍ତରରେ ଉନ୍ନୀତ ହେଉଛନ୍ତି। କାଲିମେଳା ବ୍ଲକ ମାଲାବରମ ଗ୍ରାମର ଜଣେ ୧୫ ବର୍ଷୀୟ ଆଦିବାସୀ ବାଳକ ଏରା ତାଟି ଜାତୀୟ ବିଦ୍ୟାଳୟ ସ୍ତରୀୟ ତୀରନ୍ଦାଜିରେ ରୌପ୍ୟ ପଦକ ଜିତି  ମାଲକାନଗିରି ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ହେଲେ ଏବେ ସେ ଘରକୁ ଫେରି ବାକୁ ବାଧ୍ୟ ହୋଇଛନ୍ତି । ଏରାଙ୍କ ବାପା ଭଜି ତାଟି ପ୍ରାୟ ୮ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ରହିଥିବା ବେଳେ ମା’ଙ୍କ ଗତ ୧୭ଦିନ ପୂର୍ବେ ଦେହାନ୍ତ ହୋଇଥିଲା । ମା’ଙ୍କ ଶେଷକୃତ୍ୟ କାମ ସାରିବାକୁ ଆସି ଏରା ନିଜ ଗ୍ରାମରେ ରହି ଯାଇଥିଲେ । ନିଜ ପରିବାରରେ କେହି ଦେଖିବାକୁ ନଥିବାରୁ ବଡ଼ ଭାଇ ଗାଙ୍ଗରାଜ(୧୮) ଏବଂ ସାନ ଭଉଣୀ ଭିମେ(୧୨)ଙ୍କ ସହ ଏରାଙ୍କ ଦି ଓଳି ଖାଇବା ପାଇଁ ଯଥେଷ୍ଟ ଅର୍ଥ ନଥିବାରୁ ତିନି ଭାଇ ଭଉଣୀ ମହୁଲ ଗୋଟେଇ ଏବଂ ତାକୁ ବିକ୍ରି କରି ଯେଉଁ ଅର୍ଥ ଆସେ ଦୈନନ୍ଦିନର ଖର୍ଚ୍ଚ ସହ କଷ୍ଟରେ ତିନି ପ୍ରାଣୀଙ୍କ ପେଟ ପସିବାରେ ନିୟୋଜିତ କରିଥାନ୍ତି ।

ଆଦିବାସୀ ଅଞ୍ଚଳରେ ରହୁଥିବାରୁ ଏରା ତାତି ଛୋଟ ଦିନରୁ ପାରମ୍ପରିକ ଧନୁ-ତୀରର ପ୍ରୟୋଗ କରିବା ଶିଖିଯାଇଥିଲେ, ଯାହାକି ତାଙ୍କୁ ତୀରନ୍ଦାଜି ଖେଳରେ ଆଗେଇ ବାକୁ ସାହାଯ୍ୟ କରିଥିଲା । ପ୍ରତିଭାବାନ ଏରା ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରରେ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ହେଲେ ମା’ଙ୍କ ମୃତ୍ୟୁ ହେବା ଯୋଗୁ ଦି ମୁଠା ଖାଇବା ଯୋଗାଡ଼ ପାଇଁ  ଭାଇ ଭଉଣୀଙ୍କ ସହ କାନ୍ଧକୁ କାନ୍ଧ ମିଶେଇ ଠିଆ ହୋଇଥିବା ବେଳେ ନିଜ ପ୍ରତିଭା ଓ ସ୍ୱପ୍ନ, ତୀରନ୍ଦାଜି ଠାରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛି । ଏରା ନିଜ ଭାଇ ଭଉଣୀ ସହ ନିଜର ଭବିଷ୍ୟତ ପାଇଁ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାକୁଳ ଅନୁରୋଧ କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ପରିବାର ସହ ଏରାଙ୍କ ତୀରନ୍ଦାଜି ପ୍ରତି ସରକାର ଧ୍ୟାନ ଦେଲେ ଆମ ରାଜ୍ୟ ତଥା ଦେଶ ପାଇଁ ଅଧିକ ଗୌରବ ଓ ସୁନାମ ଆଣିବ ବୋଲି ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର