ଆରପାରିରେ ଅଭିଲେଖବିତ୍‌ ମହେଶ ଦାଶ

ଭୁବନେଶ୍ୱର : ବିଶିଷ୍ଟ ଅଭିଲେଖବିତ୍‌ ମହେଶ ପ୍ରସାଦ ଦାଶ ଆଉ ନାହାନ୍ତି। ଆମ୍ରି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନ ୧୦ଟାରେ ମସ୍ତିଷ୍କାଘାତରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ଓଡ଼ିଶାରେ ଅଭିଲେଖର ଭୀଷ୍ମ ପିତାମହ ଭାବେ ପରିଚିତ ଶ୍ରୀ ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

୧୯୩୬ ମସିହା ଅକ୍ଟୋବରରେ ସମ୍ବଲପୁରର କଟାପାଲିରେ ଜନ୍ମିତ ମହେଶ ଲଣ୍ଡନରୁ ଅଭିଲେଖ ସମ୍ବନ୍ଧରେ ସ୍ବତନ୍ତ୍ର ତାଲିମ ଗ୍ରହଣ କରିଥିଲେ। ‘ଦି କଲ୍‌ଟ ଅଫ୍ ଲର୍ଡ ଜଗନ୍ନାଥ ଆଣ୍ଡ୍‌ ରିଜିଓନାଲ୍‌ ଟ୍ରାଡିସନ୍‌ ଅଫ୍‌ ଓଡ଼ିଶା’ ଶୀର୍ଷକ ବିଷୟରେ ନିଜର ଥେସିସ୍‌ ରଚନା କରି ପିଏଚ୍‌ଡି ପାଇଥିଲେ। ବିଭିନ୍ନ ପଦପଦବିରେ ରହିଥିଲେ ମଧ୍ୟ ୧୯୭୧ଏପ୍ରିଲ୍‌ ୧ ତାରିଖରୁ ୧୯୯୪ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୨୪ବର୍ଷ କାଳ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାବେ କାର୍ଯ୍ୟକାଳ ଭିତରେ ସେ ୩ ଲକ୍ଷ ରେକର୍ଡ ଓ ବିରଳ ବହି ସାଇତି ପାରିଥିଲେ। ‘ଗାଇଡ୍‌ ଟୁ ଓଡ଼ିଶା ରେକର୍ଡସ’ ଭଲ୍ୟୁମ ୬, ୭ ଓ ୮ର ସମ୍ପାଦନା କରିଥିଲେ। ଏଥିସହ ଫ୍ରିଡମ୍‌ ଷ୍ଟ୍ରଗଲ୍‌ ଅଫ୍‌ ଓଡ଼ିଶା, ଫେମିନି ଅଫ୍‌ ଓଡ଼ିଶା, ସ୍ବତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଓ ଅଭିଲେଖାଗାର ପ୍ରକାଶିତ ଅନ୍ୟ କେତେକ ପୁସ୍ତକର ସମ୍ପାଦନାମଣ୍ଡଳୀରେ ସଦସ୍ୟ ରହିଥିଲେ। ସମ୍ବଲପୁର ଆଞ୍ଚଳିକ ଅଭିଲେଖାଗାର ସ୍ଥାପନ ପଛରେ ତାଙ୍କର ଅବଦାନ ଥିବା ବେଳେ ଗଞ୍ଜାମ ଓ ବାରିପଦାରେ ଅଭିଲେଖାଗାର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ, ରାଜ୍ୟ ଗ୍ରନ୍ଥାଗାରର ନିର୍ଦେଶକ ଭାବେ ଦାୟିତ୍ବ ନିଭାଇବା ସହ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶକ ଭାବେ ୧୯୯୬ ମସିହାରେ ଚାକିରିରୁ ଅବସର ନେଇଥିଲେ।

ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ, ବିଶିଷ୍ଟ ଲେଖକ ରାଜକିଶୋର ମିଶ୍ର, ଜାତୀୟ ଅଭିଲେଖାଗାରର ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ, ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ମରଶରୀର ନିକଟରେ ତାଙ୍କ ପତ୍ନୀ ଅନୁପମା ଦାଶ, ପୁଅ ସିଦ୍ଧାର୍ଥ ଦାଶ, ଝିଅ ଡ. ସଂଘମିତ୍ରା ଦାଶ, ସୁଚିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପୁଅ ସିଦ୍ଧାର୍ଥ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର