ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ପରିଚାଳିତ ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ସନ୍ଧ୍ୟାରେ ଜେଲ୍କୁ ପଠାଇ ଦିଆଯାଇଛି। ସେ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।
ସୂଚନାଯୋଗ୍ୟ, ଦିଲ୍ଲୀର ଜନୈକ ବ୍ୟବସାୟୀ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କରିବା ପରେ ଆଜି ସକାଳୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଥିଲା ପୁଲିସ୍। ଅର୍ଦ୍ଧେନ୍ଦୁ ଦାସ ଗିରଫ ହେଲା ପରେ ଇଓଡବ୍ଲୁ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ଅଦାଲତ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ। ଇଓଡବ୍ଲୁ ଓ କମିସନରେଟ ପୁଲିସରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ୪ଟି ମାମଲା ରହିଛି।
ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ଅନୁଯାୟୀ, ଗତ ୨୩ ତାରିଖରେ ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱଲା ଅଭିଯୋଗ କରିଥିଲେ। ବାର୍ଷିକ ୮କୋଟି ବ୍ୟବସାୟ ହେଉଥିବା କହି ଅର୍ଦ୍ଧେନ୍ଦୁ ତାଙ୍କଠାରୁ କୋଟିଏ ୪୭ହଜାର ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଆଣିଥିଲେ। ଏ ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆହୁରି ୯୨ଲକ୍ଷ ଟଙ୍କା ସେ ଦେଇନାହାନ୍ତି। ତେଣୁ ଏହି ଆଧାରରେ ଠକେଇ ମାମଲା ରୁଜୁ ହୋଇଛି। ଏଣେ କଟକର ନିଶିତ ଅଗ୍ରୱାଲ ନାମକ ଜଣେ ପୁରୀଘାଟ ଥାନାରେ ଶ୍ରୀ ଦାସଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ଶ୍ରୀ ଦାସ ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ମୂଲ୍ୟର ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପରେ୪.୪ ଲକ୍ଷ ଟଙ୍କା ଦେଇଥଲେ। କିନ୍ତୁ ଏପର୍ଯ୍ୟନ୍ତ ଅବଶିଷ୍ଟ ଦେୟ ଦେଇନାହାନ୍ତି।
ତେବେ ଗଗନଦୀପ ସିଂଙ୍କର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ। ସେ କହିଛନ୍ତି ଯେ ନୂଆ ସାମଗ୍ରୀ ଯୋଗାଇବା ଚୁକ୍ତି କରି ଗଗନଦୀପ ପୁରୁଣା ଓ ନକଲି ମାଲ୍ ଯୋଗାଇଛନ୍ତି। ଏକଥା ଜଣାପଡ଼ିବା ପରେ ଗଗନଦୀପ ନିଜେ ସେ ଅନୁସାରେ କମ୍ ଅର୍ଥ ନେବେ ବୋଲି ସମ୍ମତି ପ୍ରଦାନ କରିଥିଲେ। ତେଣୁ ତାଙ୍କର ପ୍ରକୃତ ପ୍ରାପ୍ୟ କେତେ ତାହା ସ୍ଥିର ହେବାକୁ ଥିବା ବେଳେ ସେ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଚାନେଲ୍ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଥିବାରୁ ପୁଲିସ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏଥିସହ ବିଭିନ୍ନ ମହଲରୁ ଅର୍ଦ୍ଧେନ୍ଦୁଙ୍କ ଗିରଫଦାରୀ ନେଇ ନିନ୍ଦା କରାଯିବା ସହ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ardhendu.png)
