ଭୁବନେଶ୍ବର : ଅର୍ଚ୍ଚନାଙ୍କ ଘରୁ ପୁଲିସ ଜବତ କରିଥିବା ପେନ୍ଡ୍ରାଇଭ, ଲାପଟପ୍ ଓ ହାର୍ଡଡିସ୍କକୁ ଯାଞ୍ଚ କରିବା ଲାଗି ପୁଲିସ ଫୋରେନ୍ସିକ୍ ଲାବରେଟୋରିକୁ ପଠାଇବ ବୋଲି ସୂଚନା ମଳିଛି। ବଡ଼ କଥା ହେଉଛି ଏସବୁରେ ପାଖାପାଖି ୩୦ଟି ସମ୍ବେଦନଶୀଳ ଭିଡିଓ ରହିଥିବା ଜଣାପଡ଼ିଛି। ଏହିସବୁ ଅଶ୍ଳୀଳ ଭିଡିଓରେ ଅନେକ ନାମୀଦାମୀ ବ୍ୟକ୍ତିବିଶେଷଙ୍କ କଳା କାରନାମାର ଚିତ୍ର ଭରି ରହିଛି। ସତକୁ ସତ ଯଦି ଏସବୁ ଭିଡିଓ ଖୋଲେ, ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଯେଉଁ ପ୍ରଶ୍ନଟି ଏବେ ବିଭିନ୍ନ ମହଲକୁ ଘାରିଛି, ଏସବୁ ସୁରକ୍ଷିତ ଅଛି ନା ଡିଲିଟ୍ ହୋଇଯାଇଛି? ଗଣମାଧ୍ୟମକୁ ଲୁଚାଇ ରାତିଅଧିଆ ଅର୍ଚ୍ଚନାକୁ ଗିରଫ କରିଥିବା ପୁଲିସ ଏସବୁକୁ ରଖିଛି କି ଲିଭାଇ ଦେଇଛି? ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ସାରିବା ପରେ ବି ପୁଲିସ ଯେଉଁଠି ମୁହଁ ଖୋଲୁନି, ସେଠି ଭିଡିଓ ସବୁ ସୁରକ୍ଷିତ ଥିବା ଚିନ୍ତା କରିହେଉନି ବୋଲି ବହୁ ବୁଦ୍ଧିଜୀବୀ ଓ ଆଇନଜୀବୀ କ୍ଷୋଭର ସହ କହିଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ନ୍ୟାୟରେ ଚଳଚ୍ଚିତ୍ର ପ୍ରୟୋଜକ ଅକ୍ଷୟ ପରିଜାଙ୍କ ଭିଡିଓ ହେଉଛି ବଡ଼ ନମୁନା। ଅବଶ୍ୟ ଭାଇରାଲ୍ ହୋଇଥିବା ଉକ୍ତ ଭିଡିଓ ସତ କି ଏଡିଟ୍ କରାଯାଇଛି, ତାହା ପରୀକ୍ଷା କରାଯାଇନାହିଁ। ତେବେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁର ଅଚାନକ କୋଟିପତି ପାଲଟିବା ପଛରେ ଏମିତି କଥା କିଛି ବିଚିତ୍ର ନୁହେଁ ବୋଲି ମତ ପ୍ରକାଶ ପାଇଛି।
ଅର୍ଚ୍ଚନା ଘରକୁ ଆସୁଥିବା ଯୁବତୀମାନେ କିଏ?
ସତ୍ୟବିହାରବାସିନ୍ଦାମାନଙ୍କ ସୂଚନାନୁଯାୟୀ ବହୁ ସମୟରେ ଉକ୍ତ ଆଲିସାନ କୋଠାରେ ବହୁ ସୁନ୍ଦରୀ ତରୁଣୀଙ୍କୁ ଦେଖିବାକୁ ମିଳିଥାଏ। ଚଳଚ୍ଚିତ୍ର ସୁଟିଂ କରିବାକୁ ଏହି ତରୁଣୀମାନେ ଆସନ୍ତି ବୋଲି ଚର୍ଚ୍ଚା ହୁଏ। କିନ୍ତୁ ସନ୍ଧ୍ୟା ହେଉ ହେଉ ସେଠାରେ ବଡ଼ବଡ଼ ଦାମୀ ଗାଡ଼ି ଲାଗେ ଓ ଯୁବତୀମାନେ ସେସବୁ ଗାଡ଼ିରେ ଗାଏବ୍ ହୋଇଯାଆନ୍ତି। ଏବେ ଅର୍ଚ୍ଚନାର କଳା କରାନାମା ପଦାକୁ ଆସିବା ପରେ ସେହି ତରୁଣୀମାନଙ୍କୁ ନେଇ ସତ୍ୟବିହାରରେ ଜୋର୍ଦାର୍ ଚର୍ଚ୍ଚା ହେଉଛି। ଅର୍ଚ୍ଚନା ଘରୁ ଜବତ ହୋଇଥିବା ସିସିଟିଭି ଫୁଟେଜ୍କୁ ପ୍ରକୃତରେ ଯାଞ୍ଚ କରାଗଲେ, ବହୁତ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି।
ଗୁଳିମାଡ଼ରୁ ବର୍ତ୍ତିଯାଇଥିଲା ଜଗବନ୍ଧୁ
ପ୍ରାୟ ୬/୭ ମାସ ତଳେ ଜଗବନ୍ଧୁ ଉପରକୁ ଗୁଳିମାଡ଼ ହୋଇଥିଲା। ମାତ୍ର ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲା। ଏନେଇ ସେ ଥାନାରେ କୌଣସି ଅଭିଯୋଗ କରିନଥିଲା। ଅବଶ୍ୟ ମଞ୍ଚେଶ୍ବର ଥାନା ପୁଲିସ ଗୁଳିକାଣ୍ଡ କଥା ଶୁଣିବା ପରେ ଜଗବନ୍ଧୁ ଘରକୁ ଯାଇ ପଚରାଉଚରା କରିଥିଲା। କିନ୍ତୁ ଲିଖିତ ଅଭିଯୋଗ ନହେବା ବାହାନାରେ ପୁଲିସ ଚୁପ୍ ବସିଯାଇଥିଲା। ଜଗବନ୍ଧୁ ଓ ଅର୍ଚ୍ଚନା କାହାକୁ ବ୍ଲାକ୍ମେଲ୍ କରି ଟଙ୍କା ଆଦାୟ କରିବାକୁ ବସିଥିବାରୁ ଧମକ ଦେବା ପାଇଁ ଏହି ଗୁଳିମାଡ଼ ହୋଇଥିଲା ବୋଲି ଆଲୋଚନା ହେଉଛି। ତେବେ ଏହା ପରଠାରୁ ଜଗବନ୍ଧୁ ତା’ ଘର ପାଖରୁ ୫ଶହ ମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ନିଜ ଖର୍ଚରେ ସିସି କ୍ୟାମେରା ଲଗାଇଥିଲା।
ବାହା ହୋଇଥିଲେ ନା ଲିଭ୍ଇନ୍?
ସେମାନେ ବିବାହ କରିଛନ୍ତି କି ଲିଭ୍ଇନ୍ରେ ରହୁଛନ୍ତି, ତାହା ଅସ୍ପଷ୍ଟ। ଏମିତିକି ସେମାନଙ୍କର ଏକ ପୁଅ ଥିଲେ ବି ସେମାନେ କେବେ କେଉଁଠି ବିବାହ କଲେ, ତାହା କାହାକୁ ଜଣାନାହିଁ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ବହୁ ସମୟରେ ସେମାନଙ୍କ ଭିତରେ ଝଗଡ଼ା ଲାଗେ। ବଙ୍ଗଳା ସଦୃଶ କୋଠା ଭିତରୁ ପାଟିତୁଣ୍ଡ ରାସ୍ତାକୁ ଶୁଭେ। କିଛି ମାସ ତଳେ ଜଗବନ୍ଧୁ ତିନି ମହଲା କୋଠାରୁ ଖସି ପଡ଼ି ଆହତ ହୋଇଥିଲେ ଏବଂ ହାଇଟେକ୍ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ତେଣୁ ସେ ଖସି ପଡ଼ିଥିଲେ କି ତାକୁ କେହି ଠେଲି ଦେଇଥିଲା, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।
ପିତ୍ତଳ ଥାଳିରେ ନେତାଙ୍କ ପଦଧୌତ
ସତ୍ୟବିହାର କୋଠା ପ୍ରତିଷ୍ଠା ବେଳେ ଶାସକ ଦଳର ଜଣେ ବରିଷ୍ଠ ନେତା ଅତିଥି ହୋଇଥିଲେ। ଜଗବନ୍ଧୁ ଓ ଅର୍ଚ୍ଚନା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏମିତିକି ତାଙ୍କୁ ଏକ ବଡ଼ ପିତ୍ତଳ ଥାଳିରେ ଠିଆ କରାଇ ତାଙ୍କ ଗୋଡ଼କୁ ଫୁଲ ଚନ୍ଦନ ପାଣିରେ ପଖାଳି ଥିଲେ। ସେତେବେଳେ ସତ୍ୟବିହାରରେ ଏହି କଥାଟି ଖୁବ୍ ଚର୍ଚ୍ଚା ହୋଇଥିଲା। ଏଥିରୁ ଅନୁମାନ କରାଯାଇପାରେ ଘର ପ୍ରତିଷ୍ଠାରେ ସେମାନେ କେତେ ଟଙ୍କା ଖର୍ଚ୍ଚ କରିଥିଲେ! କୋଲକାତାରୁ ଆସିଥିବା ଫୁଲ ସଜ୍ଜାକୁ ଦେଖି ଲୋକେ ତାଟକା ହୋଇଯାଇଥିଲେ। ରାତିରେ ଏମିତି ଲାଇଟ୍ ଲଗାଯାଇଥିଲା ଯେ ଅନେକଙ୍କ ପାଇଁ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା। ଏହାବାଦ୍ ଅତିଥି ଭାବେ ଆସିଥିବା ଭିଭିଆଇପିମାନଙ୍କୁ ଦେଖି ସ୍ଥାନୀୟ ଲୋକଙ୍କ ଆଖି ଖୋସି ହୋଇଯାଇଥିଲା। ଘର ପ୍ରତିଷ୍ଠା ଭୋଜିରେ ୭୦ ପ୍ରକାରର ଆଇଟମ୍ ହୋଇଥିଲା ଏବଂ ଏଥିପାଇଁ କୋଲକାତାରୁ ରୋଷେୟାମାନେ ଆସିଥିଲେ।
ଜଗବନ୍ଧୁର ଚୁଟି କଟା ଖର୍ଚ୍ଚ ଦେଢ଼ ହଜାର, ଅର୍ଚ୍ଚନାର ଅଢ଼େଇ ହଜାର
ଜଗବନ୍ଧୁ ଓ ଅର୍ଚ୍ଚନାର ଅୟସ ଜୀବନଯାପନର ଚିତ୍ର ସେମାନଙ୍କ ଚୁଟି କଟାରୁ ବୁଝାପଡ଼େ। ସତ୍ୟବିହାରର ଏକ ସେଲୁନ୍ବାଲା ତାଙ୍କ ଘରକୁ ଯାଇ ଚୁଟି କାଟେ। ଜଗବନ୍ଧୁର ଚୁଟି କଟା ଖର୍ଚ୍ଚ ଦେଢ଼ ହଜାର ଟଙ୍କା ହୋଇଥିବା ବେଳେ ଅର୍ଚ୍ଚନା ପାଇଁ ଅଢ଼େଇ ହଜାର ଟଙ୍କା ପଡ଼େ।