ଭୁବନେଶ୍ବର: ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡ଼ାପଣ କମାଯାଇ ପାରିବ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ହୋଟେଲ ମେ’ ଫେୟାରଠାରେ ରାଜ୍ୟ ସରକାର, ବିଶ୍ବବ୍ୟାଙ୍କ, ୟୁନିସେଫ୍ ଏବଂ ଅନ୍ତର୍ଜାତୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ ଭାରତରେ ଶିଶୁ ଅପପୁଷ୍ଟି ଓ ଗେଡ଼ାପଣ ନିରାକରଣ’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୁଷ୍ଟି ବଜେଟ୍ ପ୍ରସ୍ତୁତିରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ବର୍ତ୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିଯୋଗାଣ ଏବଂ ପରିମଳ ଭଳି ସାମାଜିକ କ୍ଷେତ୍ରଗୁଡ଼ିକରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୯୬.୫ ଲକ୍ଷ ପରିବାରକୁ ସାମିଲ କରିବା, ପ୍ରାୟ ୭୫ ହଜାର ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଅତିରିକ୍ତ ପୁଷ୍ଟି ଯୋଗାଣ କାର୍ଯ୍ୟକ୍ରମ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଟେକ୍ହୋମ୍ ରାସନ କାର୍ଯ୍ୟକ୍ରମ, ୫୫ହଜାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଗାଣ, ସହରାଞ୍ଚଳରେ ଆହାର କେନ୍ଦ୍ର, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନ୍ ଯୁକ୍ତ ଚାଉଳ ଓ ମାଣ୍ଡିଆ ଯୋଗାଣ ଆଦି କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି।
ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ଅପପୁଷ୍ଟି ଓ ଗେଡ଼ାପଣ ସଂକ୍ରାନ୍ତୀୟ ନିର୍ଭୁଲ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି। ଏହିଭଳି ଭାବେ ଓଡ଼ିଶା ଅପପୁଷ୍ଟି ଓ ଗେଡ଼ାପଣ ନିୟନ୍ତ୍ରଣ ନିମନ୍ତେ ଏକ ଲକ୍ଷ୍ୟଭେଦୀ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୁଭା ଶର୍ମା, ୟୁନିସେଫ୍ ନିୟୁଟ୍ରିସନ ମୁଖ୍ୟ ଆରଜନ୍ ଡି ୱାଗଟ୍, ନିୟୁଟ୍ରିସନ ବିଶେଷଜ୍ଞ ପ୍ରଫେସର ଶ୍ରୀନାଥ ରେଡ୍ଡୀ, ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା କମିସନ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ପ୍ରମୁଖ ଶିଶୁ ଅପପୁଷ୍ଟି ଓ ଗେଡ଼ାପଣ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିେଲ। ଏହି ଅବସରରେ ମୁଖ୍ୟ ସଚିବ ‘କୋଭିଡ-୧୯ ଏବଂ ଓଡ଼ିଶାରେ ପୁଷ୍ଟି ଯୋଗାଣ’ ସଂପର୍କିତ ଏକ ଅଧ୍ୟୟନ ରିପୋର୍ଟ ଉନ୍ମୋଚନ କରିଥିଲେ।