ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ରକ୍ତତୀର୍ଥ ସହିଦ୍‌ ପୀଠ ‘ଇରମ୍‌’ ହେଉଛି ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ। ମାତ୍ର, ଏବେ ବି ଏହା ଅବହେଳିତ ଅବସ୍ଥାରେ ରହିଛି। ଇତିହାସର ସ୍ବାକ୍ଷର କରୁଥିବା ଏହି ଅଞ୍ଚଳ ପ୍ରତି ସରକାର ଦୃଷ୍ଟି ନପାଇବା ଦୁର୍ଭାଗ୍ୟଜନକ ବିଷୟ ବୋଲି ମତପ୍ରକାଶ ପାଇଛି। ଭାରତର ସ୍ବାଧୀନତା ସଂଗ୍ରାମର ଯେଉଁ କେତୋଟି ସ୍ଥାନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି, ସେଥିମଧ୍ୟରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର ରକ୍ତତୀର୍ଥ ସହିଦ୍‌ ପୀଠ ‘ଇରମ୍‌’ ଅନ୍ୟତମ। ଭାରତଛାଡ ଆନ୍ଦୋଳନ ସମୟରେ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇରମ୍‌ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ ଏହି ମାଟିର ଅନେକ ସଂଗ୍ରାମୀ ମଣିଷ। ସଭାକୁ ଭଣ୍ଡୁର କରିବା ପାଇଁ ବ୍ରିଟିସ୍‌ ଫୌଜ ଆଖିବୁଜା ଗୁଳି ଚଳାଇଥିଲେ। ଇଂରେଜଙ୍କ ଗୁଳିରେ ସେଦିନ ଇରମ୍‌ ମାଟି ରକ୍ତରଞ୍ଜିତ ହୋଇ ଯାଇଥିଲା। ଦେଶମାତୃକା ପାଇଁ ୨୯ ଜଣ ସଂଗ୍ରାମୀ ନିଜ ଜୀବନକୁ ବଳି ଦେଇଥିଲେ।

Advertisment

ତେବେ, ଯେଉଁମାନଙ୍କ ପାଇଁ ଇରମ୍‌ ମାଟି ଆଜି ବୀର ମାଟି ଭାବେ ସାରା ଭାରତବର୍ଷରେ ପରିଚିତ ହେଉଛି, ସେ ମାଟିକୁ ଆଜି ଯାଏ ବିକାଶ ଛୁଇଁ ପାରିନାହିଁ। ସ୍ବାଧୀନତା ପ୍ରାପ୍ତିକୁ ୭ ଦଶନ୍ଧିରୁ ଅଧିକ ସମୟ ବିତିଯିବା ସତ୍ତ୍ବେ ଏ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ଅପହଞ୍ଚ। ଏବେ ମଧ୍ୟ ସହିଦ୍‌ ପରିବାର ଓ ସହିଦ୍‌ ମାଟି ଅବହେଳିତ। ଯଦିଓ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ପୀଠର ମାନ୍ୟତା ଦେଇଛନ୍ତି, କିନ୍ତୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଖିଦୃଶିଆ ନୁହେଁ। ସହିଦ୍‌ ପୀଠ ଇରମ୍‌ ଜାତୀୟ ସ୍ମାରକୀ ମାନ୍ୟତାରୁ ବି ବଞ୍ଚିତ। ବାସୁଦେବପୁରର ବିପ୍ଳବୀ କବି ବାଞ୍ଝ‌ାନିଧି ମହାନ୍ତିଙ୍କ ଦେଶାତ୍ମବୋଧକ କବିତା ସେତେ​ବେଳେ ଜନସାଧାରଣଙ୍କୁ ଜାତୀୟତା ଭାବନାରେ ଉଦ୍‌ବୁଦ୍ଧ କରିଥିଲା। ହେଲେ, ଲୋକ ପ୍ରତିନିଧିମାନଙ୍କୁ ଇରମ୍‌ର ବୀରତ୍ବ ଗାଥା ପ୍ରଭାବିତ କରୁନାହିଁ ଏବଂ ଏହାର ବିକାଶ ପାଇଁ କାହାର ଟିକିଏ ବି ଦରଦ ନାହିଁ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ଆଜି ବି ଇରମ୍‌କୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଭଦ୍ରକରୁ ବାସୁଦେବପୁର ମନ୍ଦାରୀ ଛକରୁ ଇରମ୍‌କୁ ଯିବା ପାଇଁ ୭ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ରାସ୍ତାଟି ସଂକୀର୍ଣ୍ଣ ହୋଇଥିବାରୁ ଏଠାକୁ ପର୍ଯ୍ୟଟକମାନେ ଆସିବାରେ ସମସ୍ୟା ସୃଷ୍ଟି ହେଉଛି। ଏହି ରାସ୍ତାର ପ୍ରଶସ୍ତୀକରଣ ଓ ଆଲୋକୀକରଣ ନେଇ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସମସ୍ତେ ନିରବ।

ସେହିଭଳି, ସହିଦ୍‌ ପୀଠର ମୂକସାକ୍ଷୀ ଭାବେ ଏଠାରେ ରହିଥିବା ‘ନରଣ ପୋଖରୀ’ ଅବହେଳିତ। ଏହି ପୁଷ୍କରିଣୀର ବିକାଶ, ସୌନ୍ଦର୍ଯ୍ୟୀକରଣ ତଥା ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇପାରିଲେ ପର୍ଯ୍ୟଟକମାନଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରନ୍ତା। ପରିତାପର ବିଷୟ ହେଉଛି, ପର୍ଯ୍ୟଟକଙ୍କ ରହିବା ପାଇଁ ଏଠାରେ ପାନ୍ଥନିବାସ, ଯାତ୍ରୀ ଆଶ୍ରୟସ୍ଥଳ କିମ୍ବା କୌଣସି ଅତିଥି ଭବନ ନାହିଁ। ଯାତ୍ରୀମାନେ ଏଠାକୁ ଆସିଲେ ରାତ୍ରିଯାପନ ପାଇଁ ସମସ୍ୟାରେ ପଡ଼ନ୍ତି। ୧୯୪୨ ମସିହା ପୂର୍ବରୁ ନିର୍ମାଣ ହୋଇଥିବା ‘କୁଳିଖଟି’ ଗେଷ୍ଟ ହାଉସ୍ ଏବେ ପରିତ୍ୟକ୍ତ, ଜରାଜୀର୍ଣ୍ଣ। ଏଠାରେ କେବଳ ସହିଦ୍‌ମାନଙ୍କର ସ୍ମୃତିସ୍ତମ୍ଭ ଓ ସହିଦ୍‌ ସମାଧିପୀଠ ସ୍ମାରକୀ ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କେନ୍ଦ୍ର ସରକାର ପଞ୍ଜାବର ଜାଲିୱାନାବାଗକୁ ଜାତୀୟ ସ୍ବାରକୀ ଭାବେ ଘୋଷଣା କରିଛନ୍ତି। ଅଥଚ ଦ୍ବିତୀୟ ଜାଲିୱାନାବାଗ କୁହାଯାଉଥିବା ରକ୍ତତୀର୍ଥ ଇରମ୍‌କୁ ଜାତୀୟ ସ୍ମାରକୀ ମାନ୍ୟତା ଦେବାରେ ଟାଳଟୁଳ ନୀତି ପୋଷଣ କରାଯାଉଛି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ପରେ ଏହି ମାଟିରୁ ଡ.ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟଙ୍କ ଭଳି ଦୁଇ ଜଣ ଯଶ୍ବସୀ ନେତା ମୁଖ୍ୟମନ୍ତ୍ରୀ ହୋଇଥିଲେ।