ବିଂଝାରପୁର : ୨୦୧୭ ମସିହାରେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯାଜପୁର ଗସ୍ତରେ ଆସି ଯାହାଙ୍କ ଘରେ ମଧ୍ୟାହ୍ନଭୋଜନ କରିଥିଲେ, ନିକଟରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ଜିଲ୍ଲାର ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଅରେଇ ସରପଞ୍ଚ ଦେବାନନ୍ଦ ମଲିକ। ସେତେବେଳେ ଦେବାନନ୍ଦଙ୍କ ଘରେ ଶ୍ରୀ ଶାହଙ୍କ ଭୋଜନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା।
୨୦୧୭ ମସିହା ଫେବ୍ରୁଆରି ୫ ତାରିଖରେ ଶ୍ରୀ ଶାହ ବିଂଝାରପୁରକୁ ଯାଇ ଦେବାନନ୍ଦଙ୍କ ଘରେ ମଧ୍ୟାହ୍ନଭୋଜନ କରିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ଅନ୍ୟ ନେତୃବୃନ୍ଦ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ। ଏହାପରଠାରୁ ଦେବାନନ୍ଦଙ୍କ ରାଜନୈତିକ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଥିଲା। ଗତ ୨୬ ତାରିଖ ଦିନ ବିଂଝାରପୁର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦେବାନନ୍ଦ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ବ୍ଲକ ସଭାପତି ମୁରଲୀଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଯୋଗଦେଇଥିଲେ। ଏହି ଘଟଣା ସ୍ଥାନୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ସରପଞ୍ଚ ଦେବାନନ୍ଦ କହିଛନ୍ତି ଯେ ପଂଚାୟତ ଉନ୍ନୟନମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ବିଜେପି ନେତା ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ଦଳବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ମଲିକଙ୍କୁ ନିଲମ୍ବିତ କରାଯାଇଛି। ତେଣୁ, ତାଙ୍କର ବିଜେଡିର ଯୋଗଦେବା ଦଳ ନିକଟରେ କୌଣସି ଗୁରୁତ୍ବ ରଖେନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/bjd-fa.jpg)