ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଶ୍ମଶାନ ଜମିକୁ ନେଇ ବିବାଦ ଲାଗି ରହିଛି। ଶବ ପୋତିବା ଘଟଣାକୁ ନେଇ ଶନିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ଏହି ବିବାଦ ଉଗ୍ର ହୋଇଛି। ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ପ୍ରାୟ ରାତି ୧୦ଟାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଖାଲି ସେତିକି ନୁହେଁ ଲାଠି ମାଡ଼ ବି ହୋଇଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Advertisment

ପେଣ୍ଟି କଷ୍ଟାଲ ଚର୍ଚ୍ଚକୁ ବିଶ୍ଵାସ କରୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଶ୍ମଶାନ ପାଇଁ ଜମି ଦେବାକୁ ପ୍ରଶାସନ ନିକଟରେ ନିବେଦନ କରାଯାଇଥିଲା। ତଥାପି ଏଯାଏଁ ତାଙ୍କୁ ଶ୍ମଶାନ ଜମି ମିଳିନାହିଁ। ଇତି ଅବସରରେ ଶୁକ୍ରବାର ସ୍ଥାନୀୟ ଡଙ୍ଗରିସାହିର ଜଣେ ୨୦ ବର୍ଷିୟା ଯୁବତୀଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ସାହି ନିକଟରେ ଶବ ପୋତିବାକୁ ପରିବାର ଏବଂ ସେହି ସମ୍ପ୍ରଦାୟର ଲୋକେ ଉଦ୍ୟମ କରିଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ତାଙ୍କ ସାହି ନିକଟ ଦେଇ ଯାଇଥିବା ଉମରକୋଟ-ଛତିଶଗଡ଼ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ପ୍ରତିବାଦ କରିଥିଲେ।

ସନ୍ଧ୍ୟାରେ ଉମରକୋଟ ତହସିଲ କାର୍ଯ୍ୟାଳୟଠାରେ ଏନେଇ ବୈଠକ ଅନୁଷ୍ଠିତ ହେଇଥିଲା। ପ୍ରଶାସନ ପକ୍ଷରୁ ଏକଟାଗୁଡାଠାରେ ଜମି ରାତାରାତି ସମତଳ କରି ପ୍ରଦାନ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ ସହାୟତରେ ପରିବାର ଲୋକେ ରାସ୍ତା କଡରେ ସମ୍ପୃକ୍ତ ଯୁବତୀଙ୍କ ମୃତଦେହକୁ ପୋତି ଦେଇଥିଲେ। ଏହି ଘଟଣାକୁ ନେଇ ଏକଟାଗୁଡା ଗ୍ରାମବାସୀ ଶୁକ୍ରବାର ରାତି ୯ଟାରୁ ଉମରକୋଟ ଡିଏନକେ ଛକଠାରେ ରାସ୍ତା ଉପରେ ବାଉଁଶ ବାନ୍ଧି ରାସ୍ତା ଓଗାଳିଥିଲେ। ଫଳରେ ଶନିବାର ରାତି ୯ଟା ଅର୍ଥାତ ୨୪ ଘଣ୍ଟା ପର୍ଯ୍ୟନ୍ତ ଉମରକୋଟ – ନବରଙ୍ଗପୁର ରାସ୍ତାରେ ଯାନବାହନ ଚଳାଚଳ ହୋଇପାରିନଥିଲା। ଏକଟାଗୁଡା ଗ୍ରାମବାସୀଙ୍କୁ ସମର୍ଥନ କରି କିଛି ହିନ୍ଦୁ ସଙ୍ଗଠନ  ମଧ୍ୟ ଆନ୍ଦୋଳନରେ ସାମିଲ ହେଇଛନ୍ତି। ହିନ୍ଦୁ ସଙ୍ଗଠନର କେତେକ ସଦସ୍ୟ ଦୋକାନ ବଜାର ବି ବନ୍ଦ କରିଥିଲେ। ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉମରକୋଟ ତହସିଲ କାର୍ଯ୍ୟାଳୟରେ ଶନିବାର ସକାଳ ୧୧ଟାରୁ ୩ଟା ଯାଏଁ ବୈଠକ ବସିଥିଲା।

ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ତହସିଲଦାର ଏନ.ଜଗଜ୍ଜୀବନ ଚୌଧୁରୀ,  ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ସାହୁ, ରାଜ୍ୟ ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ଉପ ସଭାପତି କ।ଜ।ମ ମାଦ।ନି, ପୋଲିସ ଉପ ଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନାଙ୍କ ସହ ଉଭୟ ସମ୍ପ୍ରଦାୟର ପ୍ରତିନିଧି ସାମିଲ ଥିଲେ। ଏକଟାଗୁଡା ଓ ହିନ୍ଦୁ ସଂଗଠନର ଦାବିହେଲା ତୁରନ୍ତ ମୃତଦେହକୁ ସେଠାରୁ ବାହାର କରାଯାଉ। ଅନ୍ୟ କେଉଁଠାରେ ଶ୍ମଶାନ ଜମି ଦିଆଯାଉ। ଖ୍ରୀଷ୍ଟିଆନ ସଂପ୍ରଦାୟର ୪ ରୁ ୫ଟି ଶ୍ମଶାନ ଥିବା ବେଳେ ଏହି ଜାଗାରେ ପୁଣି ଏକ ନୂଆ ଶ୍ମଶାନ କରିବା ପାଇଁ ଅନୁମତି ଦେବୁନି ବୋଲି ହିନ୍ଦୁ ସଙ୍ଗଠନର ଅଶୋକ କୁମାର ପାତ୍ର ଦାବି କରିଥିଲେ।

ପାଖରେ ସ୍କୁଲ୍, ପିଇବା ପାଇଁ ପାଣି ଲାଇନ ଯାଇଥିବା ବେଳେ ପ୍ରଶାସନ ସେହି ସ୍ଥାନରେ କିପରି ଶ୍ମଶାନ ପାଇଁ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅପର ପକ୍ଷରେ ଆମକୁ ସ୍ଥାୟୀ ଶ୍ମଶାନ ଜମି ନ ଦେବା ଯାଏଁ ମୃତଦେହ କାଢ଼ିବୁନି ବୋଲି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ କୁହାଯିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ପ୍ରଶାସନ ନୂତନ ଜମି ଚିହ୍ନଟ ପାଇଁ ୧୫ ଦିନ ସମୟ ମାଗିଥିଲେ ମଧୁ କୌଣସି ଗୋଷ୍ଠୀ ରାଜି ନ ହେବାରୁ ଉତ୍ତେଜନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଶନିବାର ରାତି ପ୍ରାୟ ୧୦ଟାରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ସେଥିରେ ବି କେହି ନଶୁଣିବାକୁ ପୁଲିସ ପକ୍ଷରୁ ଲାଠି ମାଡ଼ ବି କରାଯାଇଛି। ବର୍ତ୍ତମାନ ସେଠାରେ ପୁଲିସ ମୁତୟନ ଅଛନ୍ତି।