କଟକ: ଆରଆଇ, ଆଇସିଡିଏସ୍‌ ସୁପରଭାଇଜର, ଏଆରଆଇ, ଅମିନ ଓ ଷ୍ଟାଟିଷ୍ଟିକାଲ୍‌ ଫିଲ୍‌ଡ ସୁପରଭାଇଜର ପଦ ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ବାତିଲ ହୋଇଛି। ଏହି ସବୁ ପଦବି ପାଇଁ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାଫଳ ମଧ୍ୟ ରଦ୍ଦ ହୋଇଛି। ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ କରି ପ୍ରିଲିମିନାରି ପରୀକ୍ଷାଫଳ ପ୍ରକାଶ କରାଯାଇଥିବା ଅଭିଯୋଗ ଉପରେ ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ସରକାରଙ୍କ ତରଫରୁ ପ୍ରିଲିମିନାରି ପରୀକ୍ଷାଫଳ ରଦ୍ଦ କରାଯିବା ସହିତ ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଲିଖିତ ପରୀକ୍ଷା ବାତିଲ କରାଯାଇଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପ୍ରିଲିମିନାରି ପରୀକ୍ଷା କରାଯିବ ବୋଲି ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ। ଏଭଳି ସ୍ଥିତିରେ ହାଇକୋର୍ଟ ଏଲ.ଜେ.ରାଓ ଓ ଅନ୍ୟ ୪୮ଜଣଙ୍କ ତରଫରୁ ଦାୟର ଆବେଦନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଯଥାଶୀଘ୍ର ପ୍ରିଲିମିନାରି ଓ ଲିଖିତ ପରୀକ୍ଷା ଆୟୋଜନ ସହିତ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ, ୨୮୯୫ ଆରଆଇ, ଆଇସିଡିଏସ୍‌ ସୁପରଭାଇଜର, ଏଆର୍‌ଆଇ, ଅମିନ ଓ ଏସ୍‌ଏଫଏସ୍‌ ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ ଚୟନ କମିସନ ତରଫରୁ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪, ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଏହାକୁ ପରୀକ୍ଷାର୍ଥୀମାନେ ବିରୋଧ କରିବା ପରେ କମିସନ ପ୍ରିଲିମନାରି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍‌ ଘୋଷଣା କରି ମୁଖ୍ୟ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇଥିଲେ। ପ୍ରିଲିମିନାରି ପରୀକ୍ଷା ଦେଇଥିବା କେବଳ ୯ ଜଣ ପ୍ରାର୍ଥୀଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଥିଲା। ମୋଟ ପଦବି ସଂଖ୍ୟାର ୫ଗୁଣ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ କରିବା ବଦଳରେ ନିୟମ ଉଲ୍ଲଂଘନ କରି ସବୁ ପ୍ରାର୍ଥୀଙ୍କୁ ଏଥି ପାଇଁ ସୁଯୋଗ ଦିଆଯାଇଥିବା ଅଭିଯୋଗ କରି ହାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିପ୍ଲବ ପି.ବି. ବାହାଲି ମାମଲା ପରିଚାଳନା କରୁଥିବା ବେଳେ ରାଜେନ୍ଦ୍ର ସାହୁ ଓ ମନୋରଞ୍ଜନ ସାହୁ ସହାୟତା କରୁଥିଲେ।