କଣାସ/ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍ କଳାପଦର ଅତିରିକ୍ତ ରାଜସ୍ବ ନିରୀକ୍ଷକ ରଞ୍ଜନ କୁମାର ମଲ୍ଲିକ ଶୁକ୍ରବାର ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ସହାୟତା ପ୍ରଦାନ ନିମନ୍ତେ ସୁପାରିଶ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଦ୍ବାରା ଶ୍ରୀ ମଲ୍ଲିକ ଧରାପଡ଼ିଛନ୍ତି। ଭିଜିଲାନ୍ସ ଦଳ ଆଜି ଚୁପୁରିଂଠାରେ ଥିବା ଅସ୍ଥାୟୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ଟଙ୍କା ସହ ଶ୍ରୀ ମଲ୍ଲିକଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, କଣାସ ବ୍ଲକ୍ ଗୋପୀନାଥପୁର ପଞ୍ଚାୟତ କଳାପଦର ଗ୍ରାମରେ କଳାପଦର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛ। କିନ୍ତୁ ସେଠାକୁ ନ ଯାଇ ଚୁପୁରିଂଠାରେ ଶ୍ରୀଜଗନ୍ନାଥ ସଡ଼କ କଡ଼ରେ ଅସ୍ଥାୟୀ ରାଜସ୍ବ କାର୍ଯ୍ୟାଳୟ ଖୋଲି ବହୁଦିନରୁ ଉଭୟ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ସହ ଅନ୍ୟମାନେ କାମ କରି ଆସୁଛନ୍ତି। ଚୁପରିଂ ଗାଁର ସନ୍ତୋଷ କୁମାର ଜେନା ଘର ଭାଙ୍ଗି ଯାଇଥିବାରୁ ବହୁଦିନରୁ ବାତ୍ୟା କ୍ଷତିଗ୍ରସ୍ତ ସହାୟତା ପାଇଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ବି ଅତିରିକ୍ତ ରାଜସ୍ବ ନିରୀକ୍ଷକ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଭଣ୍ଡାଇଥିଲେ। ଶେଷରେ ଏଥିପାଇଁ ସହ ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସନ୍ତୋଷ ଏ ସମ୍ପର୍କରେ ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଏହିକ୍ରମରେ ଆଜି ଭିଜିଲାନ୍ସ ଦଳ ଶ୍ରୀ ମଲ୍ଲିକଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଅଭିଯୋଗ ଆଧାରରେ ସନ୍ତୋଷଙ୍କୁ ରାସାୟନିକ ପ୍ରଲେପଯୁକ୍ତ ୧୦ ହଜାର ଟଙ୍କା ଦେଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ୨୫ରେ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦଳ ଶ୍ରୀ ମଲ୍ଲିକଙ୍କୁ ଚୁପୁରିଂ କାର୍ଯ୍ୟାଳୟରୁ ଗିରଫ କରିଥିଲା। ଅନ୍ୟପଟେ ସନ୍ତୋଷଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ୧୮/୨୦୨୨ରେ ଏକ ମାମଲା ରୁଜୁ କରି ଶ୍ରୀ ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।