ନବରଙ୍ଗପୁର : ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ୫ ହଜାର ଟଙ୍କା ନଗଦ ସହ ୨କେଜିଆ କୁକୁଡ଼ା ଲାଞ୍ଚ। ଲାଞ୍ଚ ନେଉଥିବା ଏଆର୍ଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି ନବରଙ୍ଗପୁର ଭିଜିଲାନ୍ସ ବିଭାଗ। ତାଙ୍କୁ ଗିରଫ କରିବା ସହିତ ବାସଭବନରେ ବି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ।
ଗିରଫ ଏଏର୍ଆଇ ହେଉଛନ୍ତି, ଜଗଦୀଶ ବେହେରା। ସେ ନବରଙ୍ଗପୁର ଜିଲ୍ଲା ସାନମସିଗାଁ ରାଜସ୍ବ ସର୍କଲରେ କାମ କରୁଛନ୍ତି। ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଶ୍ରୀ ବେହେରା ସାନମସିଗାଁ ଗ୍ରାମର ବୈଜୟନ୍ତୀ ଭତ୍ରା ନାମକ ଜଣେ ମହିଳାଙ୍କଠାରୁ ଆଜି ୫ ହଜାର ଟଙ୍କା ସହିତ ଏକ ଗୋଟିଏ କୁକୁଡ଼ା (୨ କେଜିଆ କୁକୁଡ଼ା ଦେବାପାଇଁ ଏଆର୍ଆଇ କହିଥିଲେ) ନେଉଥିଲେ। ମଧ୍ୟାହ୍ନ ୧୨ଟା ୪୫ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ବେଳେ ସକାଳ ୯ଟାଠାରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ହଠାତ୍ ଚଢ଼ାଉ କରିଥିଲେ। ତେବେ, ତାଙ୍କୁ କାବୁ କରିବା ସମୟରେ ଶ୍ରୀ ବେହେରା ଟଙ୍କା ଫୋପାଡ଼ି ଦୌଡ଼ିବାକୁ ଲାଗିଥିଲେ। ଭିଜିଲାନ୍ସ ଟିମ୍ ବି ତାଙ୍କ ପଛରେ ଦୌଡ଼ି ଦୌଡ଼ି ଗାଁ ମୁଣ୍ଡରେ କାବୁ କରିବାରେ ସକ୍ଷମ ହୋଇଥିଲା।
ଏହାପରେ ଏଆରଆଇ ଶ୍ରୀ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ କ୍ବାର୍ଟସରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ କେସ୍ ନଂ-୧/୨୩ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା କହିଛି ଭିଜିଲାନ୍ସ ବିଭାଗ। ଏହି ଚଢ଼ଉରେ ନବରଙ୍ଗପୁର ଭାରପ୍ରାପ୍ତ ଡିଏସପି କଳାବତି ବାଘ, ଇନ୍ସପେକ୍ଟର ଭୀମସେନ ପୂଜାରୀ, ସୂର୍ଯ୍ୟ ପ୍ରକାଶ, ଅଜିତ ପାଢ଼ୀ, ଦିବ୍ୟନନ୍ଦ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ବୈଜୟନ୍ତୀଙ୍କ ମା’ କମଳା ଭତ୍ରାଙ୍କ ଦେହାନ୍ତ ପରେ ବ୍ୟାଙ୍କ ଆକାଉଣ୍ଟରେ ୩ହଜାର ଭତ୍ତା ଟଙ୍କା ରହିଯାଇଥିଲା। ସେହି ଟଙ୍କା ପାଇବା ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ରର ଆବଶ୍ୟକତା ଥିଲା।