ପଞ୍ଚଭୂତରେ ଲୀନ ହେଲେ ଅର୍ଜୁନ

ଭଦ୍ରକ/ବନ୍ତ : ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ଜନ୍ମମାଟି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଡଙ୍ଗ ଗାଁରେ ବହୁ ଶୁଭେଚ୍ଛୁ, ରାଜନେତାଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ତାଙ୍କ ମରଶରୀରକୁ ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ବିଭିନ୍ନ ଦଳର ରାଜନେତା, ବ୍ୟକ୍ତିବିଶେଷ ତାଙ୍କର ଶେଷଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଭୁବନେଶ୍ବରରୁ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଜ ଜନ୍ମମାଟି ଭଦ୍ରକକୁ ଅଣାଯାଇଥିଲା। ଶବାଧାରରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳର ଉପନେତା ତଥା ଧାମନଗରର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନା ପଣ୍ଡା, ବିଜେପି ନେତା ଡ. ପ୍ରଦୀପ ନାୟକ, ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ, ବିଜେପି ନେତା ବଦ୍ରିନାରାୟଣ ଧଳ, ଦୁର୍ଗା ଦାସଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଭୁବନେଶ୍ବରରୁ ଭଦ୍ରକ ଆସିବା ବାଟରେ ଆଖୁଆପଦା, ଭଣ୍ଡାରିପୋଖରୀ, ଧାମନଗର, ଚିଙ୍ଗିଡିପୁର, ନଳାଙ୍ଗ, ଗେ6ଲପୁର, ବନ୍ତ ଛକରେ ଅଗଣିତ ଶୁଭେଚ୍ଛୁ, ବିଜେପି ଦଳର ନେତା ଓ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରି ଦିବଂଗତ ନେତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅପରାହ୍ନରେ ତାଙ୍କ ମରଶରୀରକୁ ନିଜ ଜନ୍ମମାଟି ଓଡଙ୍ଗ ଗ୍ରାମକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା। ଭଦ୍ରକ-ଆନନ୍ଦପୁର ରାସ୍ତାର ଉଭୟ ପାର୍ଶ୍ବରେ ଅଗଣିତ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ନୟନରେ ଶେଷ ବିଦାୟ ଦେଇଥିଲେ। ସଂଧ୍ୟାରେ ଶବ ଶୋଭାଯାତ୍ରା ଗାଁ ପରିକ୍ରମା କରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ବିଜେପିର ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାରବେଳେ ତାଙ୍କର ତିନି ପୁଅ, ପରିବାର ସଦସ୍ୟ, ଆତ୍ମୀୟସ୍ବଜନ, ବିଭିନ୍ନ ଦଳର ରାଜନେତା ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର