ପରଲୋକରେ ଅର୍ଜୁନ ସାମଲ

ଭୁବନେଶ୍ବର : ଦୁନିଆରୁ ମେଲାଣି ନେଇଛନ୍ତି ‘ମିଛ ମାୟା ଭରା ଏ ସାରା ଦୁନିଆ…ର କାଳଜୟୀ ଶିଳ୍ପୀ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଜସ୍ର ଭଜନ ସମେତ ଛାନ୍ଦ, ଚମ୍ପୂ, ଶାସ୍ତ୍ରୀୟ ଓ ପଲ୍ଲୀ ଗୀତ ଗାଇ ଲକ୍ଷଲକ୍ଷ ଓଡ଼ିଆଙ୍କୁ ବିଭୋର୍‌ କରିଥିବା କୈବଲ୍ୟକଣ୍ଠ ଅର୍ଜୁନ ଚରଣ ସାମଲ ଗତକାଲି ରାତି ୮ଟା ୫ରେ ଦେହ ଛାଡ଼ିଛନ୍ତି। ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ଥିବା ଶ୍ରୀ ସାମଲ ଶନିବାର ସକାଳେ ଭୀଷଣ ଅସୁସ୍ଥ ହୋଇପଡ଼ିଲେ। ତୁରନ୍ତ ତାଙ୍କୁ ସମ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଚିକିତ୍ସା ମଧ୍ୟ ଚାଲିଥିଲା। ମାତ୍ର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ୍‌ରୁ ତାଙ୍କୁ ଆଇଆର୍‌ସି ଭିଲେଜ୍‌ସ୍ଥିତ ବାସଭବନକୁ ଅଣାଯାଇଥିଲା। ମୃତ୍ୟୁ ଖବର ପ୍ରଘଟ ହେବା ପରେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।

ଅଶୀ ଦଶକରେ ରେଡିଓ ଖୋଲିଲେ ତାଙ୍କ ଗୀତରେ ତନମନ ସଞ୍ଚରି ଯାଉଥିଲା। ତୋ ଗାଁକୁ ଯିବା ବାଟ କେତେ ଅଙ୍କାବଙ୍କାଲୋ.., କିସ ମୁଁ ଲେଖିବି ଗୋଲାପ କଢ଼ି.., ଚଷା ପୁଅ ଭୂଇଁ ଚିରି.., ସରମି‌ଲତା ଗୋ ସେନେହ ଜାଣିବ.., ସୁଲି କାନ୍ଦେ ଫୁଲିଫୁଲି.. ଗଲାସନେ ତମେ ଚଣ୍ଡୀମନ୍ଦିରରେ.., ପୂଜା ଛୁଟି ନେଇ… ଭଳି ତାଙ୍କ କଣ୍ଠ ନିଃସୃତ ପ୍ରାୟ ୧ ହଜାରରୁ ଅଧିକ ଗୀତ ଆଜି ବି ଜନ ମାସନରେ ମିଠା ଗୁଞ୍ଜରଣ ସୃଷ୍ଟି ‌କରେ। ଓଡ଼ିଶା ସଂଗୀତ ନାଟକ ଏକା‌ଡେମି, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଆ ଗୀତିକବି ସମାଜ ସମ୍ମାନ, ବଳଭଦ୍ର ସମ୍ମାନ ସମେତ ପୁରୀର ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ସଂସ୍ଥା ପକ୍ଷରୁ ‘କୈବଲ୍ୟକଣ୍ଠ’ ଉପାଧି ପାଇଥିଲେ।

ବିରଜା କ୍ଷେତ୍ରରେ ସ୍ବାଧୀନତା ସଂଗ୍ରାମୀ ଭାଗବତ ସାମଲ ଏବଂ ଗେହ୍ଲମଣି ସାମଲଙ୍କଠାରୁ ୧୯୪୧ ମସିହା ଜୁନ୍‌ ୩ ତାରିଖରେ ଜନ୍ମିତ ଶ୍ରୀ ସାମଲଙ୍କ ସଂଗୀତ ପ୍ରତିଭା ୧୯୫୮ ମସିହାରେ ଲୋକଲୋଚନକୁ ଆସିଥିଲା। ଭଦ୍ରକରେ ଅନୁଷ୍ଠିତ ନିଖିଳ ଓଡ଼ିଶା ସଂଗୀତ ସମାରୋହରେ ଅର୍ଜୁନ ହିନ୍ଦୁସ୍ଥାନୀ ଓ ସୁଗମ ସଂଗୀତରେ ପ୍ରଥମ ହୋଇ ପ୍ରତିଭାର ପରିଚୟ ଦେଇଥିଲେ। ଏମ୍‌ଏ ସରିବା ପରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀ(ଓଏଫ୍‌ଏସ୍‌) ଭାବେ ଚାକିରି ଜୀବନ ଆରମ୍ଭ କଲେ। ଆକାଶବାଣୀରେ ‘କିସ ମୁଁ ଲେଖିବି ଗୋଲାପ କଢ଼ି…ଗୀତରୁ ଆରମ୍ଭ ହୋଇଥିଲା ସଂଗୀତର ଯାତ୍ରା। ପରେ ସେ ଆକାଶବାଣୀରୁ ପ୍ରସାରିତ ସଜଫୁଲ ଗୀତ, ପଲ୍ଲୀଗୀତ, ରାଗମଂଜରୀ, ଅତସି କୁସୁମ କାର୍ଯ୍ୟକ୍ରମରେ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ, ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା ଏବଂ ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ୍‌ର କ୍ଷୀରୋଦ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ପ୍ରଭାବତୀ ‌ସାମଲ, ପୁଅ ଦେବାଶିଷ, ଶୁଭାଶିଷ, ସ୍ନେହାଶିଷ, ଝିଅ ନିବେଦିତା, ଲୋପାମୁଦ୍ରା, ବୋହୂ ପ୍ରୀତିନନ୍ଦା, ମନସ୍ବିନୀ, ମାନସୀ ଏବଂ ନାତି ନାତୁଣି ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରଠାରେ ରବିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଦେବାଶିଷ ସାମଲ ମୁଖାଗ୍ନି ଦେଖିଥିଲେ।

ସମ୍ବନ୍ଧିତ ଖବର