ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ଭଦ୍ରକ: ବର୍ଷୀୟାନ୍ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଛି। ଭଦ୍ରକ ଲୋକସଭା ଆସନରୁ ୮ ଥର ସାଂସଦ ନିର୍ବାଚିତ ହୋଇଥିବା ଅର୍ଜୁନ ଚରଣ ସୋମବାର ସଂଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଭଦ୍ରକ ଜିଲ୍ଲାର ଜଣେ ଲୋକପ୍ରିୟ ନେତା ରହି ଆସିଥିବା ସ୍ବର୍ଗତଃ ସେଠୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୮ ଥର ସାଂସଦ ନିର୍ବାଚିତ ହେବା ସହ  ୨ ଥର ବିଧାୟକ ମଧ୍ୟ ରହିଥିଲେ ସ୍ବର୍ଗତଃ ସେଠୀ | ସେ ଭଣ୍ଡାରିପୋଖରୀ ଆସନରୁ ୨ ଥର ବିଧାୟକ ନିର୍ବାଚିତ ହୋଇଥିଲେ। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଜଳସମ୍ପଦ ମନ୍ତ୍ରୀ ଥିଲେ |

ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱରରେ ତାଙ୍କ ସାନପୁଅଙ୍କ ପାଖରେ ରହୁଥିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୂରେଇ ଦେଇଥିଲା। ଚେୟା୍ରରେ ବସିଥିବା ବେଳେ ସେ ତଳେ ପଡିଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ନିର୍ବାଚନରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ |

୧୯୪୧ ମସିହା ୧୮ସେପଟେମ୍ବରରେ ଜନ୍ମିତ ଅର୍ଜୁନ ଚରଣ ସେଠୀ ୧୯୭୧ ମସିହାରେ ସକ୍ରିୟ ରାଜନୀତିକୁ ଆସିଥିଲେ। ସେ ପ୍ରଥମେ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ୫ମ ଲୋକସଭାକୁ ଭଦ୍ରକ ଆସନରୁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ି ନଥିଲା। ପୁଣି ୧୯୮୦ ମସିହାରେ କଂଗ୍ରେସ ଟିକଟରେ ସେ ଲୋକସଭାକୁ ଯାଇଥିଲେ। ତେବେ ଏହାପରେ ସେ କଂଗ୍ରେସ ଛାଡ଼ି ଜନତା ଦଳରେ ଯୋଗ ଦେଇଥିଲେ। ୧୯୯୧ ମସିହାରେ ପୁଣି ଜନତା ଦଳ ପ୍ରାର୍ଥୀ ଭାବେ ଭଦ୍ରକ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ସେ ଜନତା ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇ କ୍ରମାଗତ ଭାବେ ୫ ଥର ୧୯୯୮,୧୯୯୯,୨୦୦୪,୨୦୦୯ ଓ ୨୦୧୪ରେ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୨୦୧୪ ଯାଏଁ ସେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର