ଚାଲିଗଲେ ଅର୍ଜୁନ ସେଠୀ

ଭଦ୍ରକ ରାଜନୀତିରେ ଯୁଗାବସାନ

ଭୁବନେଶ୍ବର/ଭଦ୍ରକ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀ ଆଉ ନାହାନ୍ତି। ୮ ଥର ସାଂସଦ ଓ ୨ ଥର ବିଧାୟକ ହୋଇଥିବା ଭଦ୍ରକ ଜିଲ୍ଲାର ଏହି ଲୋକପ୍ରିୟ ନେତାଙ୍କର ଆଜି ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗତକାଲି ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘ‌େରାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ରାତିରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବି‌ୟୋଗରେ ଭଦ୍ରକ ରାଜନୀତିରେ ଯୁଗାବସାନ ହେବା ସହ ଓଡ଼ିଶାର ରାଜନୈତିକ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଆସନ୍ତାକାଲି ତାଙ୍କ ଗ୍ରାମରେ ଅନ୍ତ୍ୟେଷ୍ଟିକ୍ରିୟା ହେବ ବୋଲି ସୂଚନା ମିଳିଛି।

୧୯୪୧ ସେପ୍ଟେମ୍ବର ୧୮ରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଓଡ଼ଙ୍ଗରେ ଜନ୍ମ ନେଇଥିଲେ ଅର୍ଜୁନ। ବାପାଙ୍କ ନାଁ ଶ୍ରୀମୁଖ ଓ ମାଆ ପାର ଦେଇ। ଆଗରପଡା କେସିଭିଏମ ବିଦ୍ୟାପୀଠରୁ ମାଟ୍ରିକ ପାସ୍ କରିବା ପରେ ଭଦ୍ରକ ମହାବିଦ୍ୟାଳୟରୁ ଆଇଏ ଓ ବିଏ ପଢ଼ିଥିଲେ। ଏହା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ତାହା ପରେ ଶିକ୍ଷକତାରୁ ସେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୬୮ରୁ ୭୦ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କଲା ପରେ ୧୯୭୭ରୁ ୭୮ ପର୍ଯ୍ୟନ୍ତ ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ଜଣେ ସଫଳ ଚାଷୀ ଭାବେ ମଧ୍ୟ ସେ ବେଶ୍ ପରିଚିତ ଥିଲେ।

ଶିକ୍ଷକରୁ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ଅର୍ଜୁନ
୮ ଥର ସାଂସଦ, ୨ ଥର ବିଧାୟକ ହୋଇଥିଲେ

ଶିକ୍ଷକତା ତାଙ୍କୁ ଅଧିକ ଦିନ ବାନ୍ଧି ପାରି ନ ଥିଲା। ୧୯୭୧ରେ କଂଗ୍ରେସ ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ପଞ୍ଚମ ଲୋକସଭା ନିର୍ବାଚନରେ ଭଦ୍ରକ ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ବିଜୟୀ ହୋଇ ନିର୍ବାଚନୀ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ରେ ସପ୍ତମ ଲୋକସଭାକୁ ଭଦ୍ରକର ସାଂସଦ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲେ।

ପରେ ସେ କଂଗ୍ରେସ ଦଳ ଛାଡି ଜନତା ଦଳରେ ଯୋଗ ଦେଇ ୧୯୯୦ ରୁ ୯୧ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇଥିଲେ। ୧୯୯୧ରେ ସେ ଜନତା ଦଳରୁ ଦଶମ ଲୋକସଭାକୁ ତୃତୀୟ ଥର ପାଇଁ ଭଦ୍ରକ ଲୋକସଭା କ୍ଷେତ୍ରରୁ ସାଂସଦ ହୋଇଥିଲେ। ୧୯୯୫ରୁ ୯୬ ସେ ଭଣ୍ଡାରିପୋଖରୀରୁ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ ରେ ଭଦ୍ରକ ଲୋକସଭା ଆସନରୁ ବିଜୁ ଜନତା ଦଳରୁ ପ୍ରାର୍ଥୀ ଭାବେ ଚତୁର୍ଥ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ସେ ଲଗାତର ଭାବେ ସଂସଦରେ ପ୍ରତିନିଧିତ୍ବ କରିଥିଲେ। ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଧାମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ଜଳ ସଂପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୯, ୨୦୦୪ ଓ ୨୦୦୯ ଲୋକସଭାରେ ସେ ବିଜେଡିର ସଂସଦୀୟ ଦଳ ନେତା ଥିଲେ। ଜଣେ ଦୃଢ଼ ସଂଗଠକ ଭାବେ ସ୍ବର୍ଗତ ସେଠୀ ବେଶ୍‌ ପରିଚିତ ଥିଲେ। ବିଭିନ୍ନ ସମୟରେ ଦଳର ସାଂଗଠନିକ ଦାୟିତ୍ବ ନେଇ ସୁଚାରୁ ରୂପେ ତୁଲାଇଥିଲେ। ୧୯୭୫ରୁ ୭୮ ସେ ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟିରେ ସଭାପତି ଥିଲେ। ୨୦୦୫ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡିର ଭଦ୍ରକ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ୍‌ ନ ଦେବାରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ନିଜେ ନିର୍ବାଚନ ମଇଦାନକୁ ଏଥର ଓହ୍ଲାଇ ନ ଥିଲେ ମଧ୍ୟ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ବିଜେପି ଟିକେଟ୍‌ରେ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ପରାଜୟ ବରଣ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସ୍ବର୍ଗତ ସେଠୀ ଜନଜୀବନରେ ବେଶ୍‌ ସକ୍ରିୟ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ସୁଭଦ୍ରା ସେଠୀଙ୍କ ସମେତ ପୁଅ, ଝିଅ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର