ବିବାଦରେ ଅର୍ଜୁନ, ଅସନ ଚାଷ: ୬ ମାସରେ ଅଧା ଗଛ ନଷ୍ଟ

ଘଟଗାଁ : ଘଟଗାଁ ବ୍ଲକ୍‌ ବିନିଦା ପଞ୍ଚାୟତ ବିନିଦା ଗ୍ରାମର ନୂଆପଶି ଓ ଦକ୍ଷିଣପଶି ସାହି ନିକଟରେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ଅର୍ଜୁନ ଓ ଅସନ ଗଛ ଲଗାଯାଇଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏଥିରୁ ଅର୍ଦ୍ଧାଧିକ ଗଛ ନଷ୍ଟ ହୋଇଗଲାଣି। ଏଥିପ୍ରତି କାହାରି ନଜର ନଥିବାରୁ ସରକାରୀ ଅନୁଦାନ ପାଣିରେ ପଡ଼ିବାର ସମ୍ଭାବନା ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଟସର ଚାଷ କରି ଚାଷୀମାନେ ସ୍ବାବଲମ୍ବୀ ହେବା ପାଇଁ ସରକାର ମନରେଗା ଯୋଜନାରେ ଅର୍ଜୁନ, ଅସନ ଚାରାରୋପଣ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ପ୍ରତିବର୍ଷ ଶହଶହ ହେକ୍ଟର ଜମିରେ ଏହି ଚାରାରୋପଣ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ବିନିଦା ଗ୍ରାମର ନୂଆପଶି ଓ ଦକ୍ଷିଣପଶି ସାହି ହୁଡ଼ି ନିକଟ ଅଞ୍ଚଳରେ ପଣ୍ତାପଡ଼ା ଟସର ସୋସାଇଟି ପକ୍ଷରୁ ୧୦ ହେକ୍ଟର ଜମିରେ ୨୦୨୨ ସେପ୍ଟେମ୍ବର ୩ରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ଅର୍ଜୁନ, ଅସନ ଚାରା ଲଗାଯାଇଛି। ତିନିବର୍ଷ ଧରି ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ଜଣାପଡ଼ିଛି। ପ୍ରଥମ ବର୍ଷ ଗଛ ଲଗାଇବା, ଗାତ ଖୋଳିବା, ବାଡ଼ଦେବା ଏବଂ ଜଗାରଖା ବାବଦକୁ ୬ ଲକ୍ଷ ୧୬ ହଜାର ୨୭୨ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିପାଇଁ କାମ ଆରମ୍ଭ ଦିନଠାରୁ ୨୦୨୨ ଡିସେମ୍ବର ୨୪ ପର୍ଯ୍ୟନ୍ତ ଶ୍ରମିକ ନିଯୁକ୍ତି କରାଯାଇଥିବା କାଗଜପତ୍ରରେ ଉଲ୍ଲେଖ ରହିଛି। ଚାରାରୋପଣର ମାତ୍ର ୬ ମାସ ମଧ୍ୟରେ ଗଛଗୁଡ଼ିକର ଅବସ୍ଥା ଦୟନୀୟ ହୋଇଛି।

ରକ୍ଷଣାବେକ୍ଷଣ ଅଭାବରୁ ବାଡ଼ ତଳେ ଲୋଟି ପଡ଼ିଲାଣି। ଖରାଦିନେ ପାଣି ଦିଆଯାଉ ନଥିବାରୁ ଅଧାଗଛ ମରି ନଷ୍ଟ ହୋଇଗଲାଣି। କୋଡ଼ାଖୋସା ଓ ସାର ବ୍ୟବହାର କରାଯାଉନାହିଁ କହିଲେ ଚଳେ। ହେକ୍ଟର ପ୍ରତି ୧୮ ହଜାର ୨୦୦ ଗଛ ଲଗଯାଇଥିବା ଜଣାପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଏଠାରେ ଟସରଚାଷ ଦିଗହରା ହୋଇପଡ଼ିଥିବା ଅଭିଯୋଗ ‌ହୋଇଛି। ଏ ସମ୍ପର୍କରେ ପଣ୍ତାପଡ଼ା ଟସର ସୋସାଇଟି ଦାୟିତ୍ବରେ ଥିବା ଅଧିକାରୀ ମନୋରଂଜନ ସୋରେନଙ୍କୁ ପଚାରିବାରୁ,କିଛି ଗଛ ମରିଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ମନରେଗା ଅନୁଦାନ ଗତ ୩ ମାସ ହେଲା ମିଳୁ ନଥିବାରୁ ଗଛ ଗୁଡ଼ିକର ଜଗାରଖା ହୋଇପାରୁ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର