ଭଞ୍ଜନଗର: ଦୁଃଖ ଯେ‌ତେବେଳେ ଆସେ, ଭାଇବନ୍ଧୁଙ୍କୁ ସାଙ୍ଗରେ ନେଇ ଆସେ। ଏମିତି କିଛି ଘଟିଛି, ଅର୍ଜୁନ ସେଠୀଙ୍କ କ୍ଷେତ୍ରରେ। ମହରଗ ଯୁଗରେ ମୂଲ ଲାଗି ଘରର ୬ ପ୍ରାଣୀଙ୍କ ବୋଝ ମୁଣ୍ଡାଉଥିବା‌ ବେଳ‌େ ବୃଦ୍ଧାମାଆ ଓ ଦୁଇ ଦିବ୍ୟାଙ୍ଗ ଝିଅ ଦିନରାତିରେ ଶେଯରେ ପଡ଼ିରହି ଜୀବନ କାଟୁଛନ୍ତି। ଆଉ ଆର୍ଥିକ ଅନଟନ ଭିତରେ ବଡ଼ଝିଅର ପାଠପଢ଼ା ଚିନ୍ତା। ଫଳରେ ପରିବାର ସଦସ୍ୟଙ୍କ ହିତରେ ଅର୍ଜୁନ ଦିନରାତି ଏକ କରିଦେଇଛନ୍ତି। ଆଉ ଏଭଳି ଘଡ଼ିସନ୍ଧି ସମୟରେ ପ୍ରଶାସନ ତାଙ୍କୁ ସହାୟତାର ହାତ ବଢ଼ାଇଛି।

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାଲେରୀ ଗ୍ରାମ ଖଇରା ସାହିର ବାସିନ୍ଦା ଅର୍ଜୁନ ସେଠୀ। ସେ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଘରେ ବୁଢ଼ୀମାଆ, ପତ୍ନୀ ଓ ତିନିଝିଅ। ପ୍ରତିଦିନ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି, ସେଥିରେ ବର୍ତ୍ତମାନ ପରିସ୍ଥିତିରେ ପ୍ରତିପୋଷଣ କରିବା କଷ୍ଟସାଧ୍ୟ ପାଲଟିଛି। ୨ ଝିଅ ରୋଶନା (୧୦) ଓ ଆୟୁଷ୍ମତୀ (୮) ଦିବ୍ୟାଙ୍ଗ ହୋଇଥିବା ବେଳେ ବଡ଼ଝିଅ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛି। ରୋଶନା ଓ ଆୟୁଷ୍ମତୀ ଜନ୍ମ ହେବାର ୪ ବର୍ଷ ପରେ ହଠାତ୍ ଚଲାବୁଲାରେ ସମସ୍ୟା ଭୋଗିଥିଲେ। ଏହାପରଠୁ ସେମାନେ କେବଳ ଶେଯରେ ପଡ଼ିରହୁଛନ୍ତି। ଦୁଇଝିଅଙ୍କ ଚିକିତ୍ସା ପାଇଁ ଅର୍ଜୁନ ତାଙ୍କ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିଥିଲେ ହେଁ, କୌଣସି ସୁଫଳ ମିଳୁନି। ଫଳରେ ଦୁଇଝିଅଙ୍କ ଚିନ୍ତାରେ ଅର୍ଜୁନ ଭାଙ୍ଗିପଡ଼ିଥିବା ବେଳେ ଏପଟେ ବଡ଼ଝିଅ ଆଗକୁ କେମିତି କଲେଜରେ ପଢ଼ିବ ଓ ଟଙ୍କା କେଉଁଠୁ ଯୋଗାଡ଼ ହେବ ଏହାକୁ ନେଇ ସେ ସନ୍ଦିହାନରେ ରହିଛନ୍ତି। କେବଳ ଏତିକି ନୁହେଁ, ବର୍ତ୍ତମାନ ଅର୍ଜୁନଙ୍କ କାନକୁ ଠିକ୍ ଭାବେ ଶୁଣାଯାଉ ନଥିବା ସହ ବୟସ ବଢ଼ୁଥିବାରୁ ପରିଶ୍ରମ କରିବାକୁ ଶରୀର ଅନୁମତି ଦେଉନି।

ଏହି ସଂର୍ପକରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଅବଗତ ହେବା ପରେ ଆଜି ସ୍ଥାନୀୟ ଗାଲେରୀ ମେଡିକାଲ୍‌ର ଏକ ଟିମ୍‌ ଅର୍ଜୁନଙ୍କ ଘରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ ଦିବ୍ୟାଙ୍ଗ ଝିଅଙ୍କ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ବ୍ୟବସ୍ଥା କରାଯାଇଛି। ସରପଞ୍ଚ କହିଛନ୍ତି, ଅର୍ଜୁନଙ୍କ ପରିବାରକୁ ଆବାସ ଯୋଜନାରେ ଘର ମିଳିଥିବା ବେଳେ ରାସନକାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ଅର୍ଜୁନଙ୍କ ବୃଦ୍ଧାମାଆଙ୍କୁ ଭତ୍ତା ମିଳୁଥିବା ବେଳ‌େ ମଝିଆ ଝିଅକୁ ଭିନ୍ନକ୍ଷମ ଭତ୍ତା ଦିଆଯାଉନି। ସାନଝିଅର ଭିନ୍ନକ୍ଷମକାର୍ଡ଼ କରିବାକୁ ପଦକ୍ଷେପ ନିଆଯିବ। ଉକ୍ତ ପରିବାରକୁ ସରକାରୀସ୍ତରରେ ଆବଶ୍ୟକ ସହାୟତା ପ୍ରଦାନ କରିବା ସହ ବଡ଼ ଝିଅର ଉଚ୍ଚଶିକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପଦକ୍ଷେପ ନିଆଯିବ ‌ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।