ଭୁବନେଶ୍ବର : କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇଥିଲେ ବିଜେଡିର ବର୍ତ୍ତମାନର ସାଂସଦ ଅର୍କ କେଶରୀ ଦେଓ। ‌େସମିତି ବିଜେପିରେ ଏଠାରୁ ଆଶାୟୀ ଥିବା ପ୍ରଦୀପ ନାୟକଙ୍କୁ ବି ଟିକେଟ୍‌ ମିଳିଲା ନାହିଁ। ଉଭୟ ଅସନ୍ତୁଷ୍ଟ ହୋଇ ନିଜ ନିଜ ଦଳର ନିଷ୍ପତ୍ତି ନେଇ କ୍ଷୋଭ ପ୍ରକାଶ କରିଥିଲେ। ନିଜ ଅସନ୍ତୋଷକୁ ଦଳୀୟ ନେତୃତ୍ବଙ୍କୁ ମଧ୍ୟ ଜଣାଇ ଦେଇଥିଲେ। ଏପରିକି ଅର୍କ ବିଜେପିକୁ ଓ ପ୍ରଦୀପ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ଉଭୟ ନେତାଙ୍କୁ ମନାଇବା ପାଇଁ ଉଭୟ ଦଳ ପକ୍ଷରୁ ଉଦ୍ୟମ ଚାଲିଥିଲା। ଶେଷରେ ଉଦ୍ୟମ ସଫଳ ହୋଇଛି। ପ୍ରଦୀପ ସନ୍ତୁଷ୍ଟ ହୋଇଯାଇଛନ୍ତି। ଏପଟେ ଅର୍କ ବି ବୁଝିଯାଇଛନ୍ତି। ଦୁଇ ନେତା ଦଳୀୟ ନିଷ୍ପତ୍ତିକୁ ମାନିନେଇଛନ୍ତି।

Advertisment

ଆଜି ନବୀନ ନିବାସରେ ଅର୍କ ଓ ତାଙ୍କ ପତ୍ନୀ ମାଳବିକା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲା ପରେ ଗଣମାଧ୍ୟମକୁ କହିଛନ୍ତି, ଆମେ ଦଳରେ ଅଛୁ ଓ ରହିବୁ। ଦଳର ଶୃଙ୍ଖଳିତ କର୍ମୀ ଭାବେ ଯାହା ଦାୟିତ୍ବ ମିଳିବ, ତାହାକୁ ନିର୍ବାହ କରିବୁ।

ସେହିପରି ରାତି ୧୦ଟାରେ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ନାୟକ କହିଥିଲେ, ବିଜେଡିରେ ସାମିଲ ହେବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ମୁଁ ବିଜେପିରେ ରହିଛି ଓ ଅନ୍ୟ ଦଳକୁ ଯିବାର ନାହିଁ। କିଛି ଅସାଧୁ ଲୋକ ମିଛରେ ଏମିତି ଚର୍ଚ୍ଚା କରୁଛନ୍ତି। ଚଳିତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ସୁନିଶ୍ଚିତ ହେବ।