ସାଂସଦ ଅର୍କକେଶରୀଙ୍କ ଇସ୍ତଫା

ଭବାନୀପାଟଣା: ପ୍ରାର୍ଥୀ ଘୋଷଣା ପରେ କଳାହାଣ୍ଡି ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଜି ଦଳୀୟ ସାଂସଦ ଅର୍କକେଶରୀ ଦେଓ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଗତକାଲି ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ମଧ୍ୟ ଦଳରୁ ଇସ୍ତଫା ‌ଦେଇଥିଲେ। ମଙ୍ଗଳବାର ସଂଧ୍ୟାରେ ଅର୍କଙ୍କ ଇସ୍ତଫା ପରେ ଜିଲ୍ଲାରେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ଚାଲିଛି। କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେଓଙ୍କୁ ଟିକଟ ବଣ୍ଟନ ପୂର୍ବରୁ ନବୀନ ନିବାସରୁ ଡାକରା ଆସିଥିଲା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ଭେଟିଥିଲେ। ମୁଖ୍ୟମନ୍ତ୍ରୀ କୁଆଡେ ତାଙ୍କ କଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥର ତାଙ୍କ ବଦଳରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ସାଂସଦ ଟିକଟ ମିଳିଛି। କେବଳ ଲାଞ୍ଜିଗଡ଼ ବିଧାନସଭା ଆସନକୁ ଛାଡ଼ିଦେଲେ ଅନ୍ୟ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ତାଲିକାରେ ଅର୍କ କିମ୍ବା ତାଙ୍କ ପତ୍ନୀଙ୍କ ନାମ ନଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କ ସମର୍ଥକମାନେ ବି ବେଶ୍ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ସେପଟେ ସୋମବାର ଭୁବନେଶ୍ବରରେ ଜିଲ୍ଲାର କିଛି ଅସନ୍ତୁଷ୍ଟ ବିଜେଡି ନେତାଙ୍କ ମେଳି ହୋଇଥିଲା। ସେମାନଙ୍କ ମଧ୍ୟରେ କିଛି ବିଜେଡିରେ ଥାଇ ଆତ୍ମଘାତୀ ଭୂମିକା ନେବେ କିମ୍ବା ଅନ୍ୟ ଦଳକୁ ଯାଇ ସିଧାସଳଖ ବିଜେଡିକୁ ଟାର୍ଗେଟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ କହିବା କଥା ହେଲା ବିଜେଡି ଆସନଗୁଡ଼ିକରେ କଂଗ୍ରେସ ପ୍ରାର୍ଥୀ ଦେଲା ଭଳି ଅବସ୍ଥା‌ ଦେଖାଦେଇଛି। ଭୂପିନ୍ଦର ସିଂ, ଦୁଷ୍ମନ୍ତ ନାଏକ ଓ ମହୋଷଧି ବାଗଙ୍କୁ ଟିକେଟ ଦିଆଯିବା ପରେ ବିଜେଡିର କଂଗ୍ରେସୀକରଣ ହୋଇଛି। ଅର୍କକେଶରୀ ତାଙ୍କ ପତ୍ନୀ ମାଳବିକା‌ ଦେଓଙ୍କୁ ବିଜେପି ଟିକଟରେ ଜୁନାଗଡ ନିର୍ବାଚନମଣ୍ଡଳୀରେ ଛିଡା କରିବା ପାଇଁ ଲବି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଆଜି ଜୟପାଟଣାରେ ବିଜେଡି କର୍ମୀମାନଙ୍କ ଏକ ବୈଠକ ହୋଇଥିଲା। ସେଠାରେ ବଳଭଦ୍ରଙ୍କୁ ଟିକେଟ ଦିଆ ନଗଲେ ଉଭୟ ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ଦିଶାରୀ ଓ ବି‌ଜେଡିକୁ ତୀବ୍ର ବିରୋଧ କରିବେ ବୋଲି କର୍ମୀ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର