ଭୁବନେଶ୍ବର: ରାଜ୍ୟ ମୁଖ୍ୟାଳୟରେ ବୁଧବାର ଦିନ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ। ଏହାସହ ମଦନପୁର ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଓ କୁମାର ସାହେବଙ୍କ ବୋହୂ ତଥା ଆନ୍ତର୍ଜାତିକ ସେରାମିକ ଆର୍ଟିଷ୍ଟ ପୃଥିବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ। ସେହିଭଳି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତର ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡି ନେତାମାନେ ଆଜି ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।
ଅର୍କକେଶରୀ ବିଜେଡି ଟିକେଟ୍ରେ ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅର୍କକେଶରୀ ପୂର୍ବ ସାଂସଦ ସ୍ବର୍ଗତ ବିକ୍ରମ କେଶରୀ ଦେଓଙ୍କ ପୁତ୍ର। ପୂର୍ବରୁ ଅର୍କକେଶରୀଙ୍କ ଶୁଭେଚ୍ଛା ବାର୍ତ୍ତା ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶଙ୍ଖଚିହ୍ନ ରହୁଥିବା ବେଳେ ଏଥର ନୂଆବର୍ଷ ଅବରସରେ ହୋର୍ଡିଂରେ କଳାହାଣ୍ଡି ମହାରାଜା ସ୍ବର୍ଗତ ପ୍ରତାପ କେଶରୀ ଦେଓ ଓ ବିକ୍ରମ କେଶରୀ ଦେଓଙ୍କ ଫଟୋ ରହିଥିଲା। ଏହାକୁ ନେଇ ସେବେଠୁ ରାଜନୀତି ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଅର୍କକେଶରୀଙ୍କୁ ବିଜେଡି ପକ୍ଷରୁ କୋଣଠେସା କରାଯାଇଥିଲା। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ତାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇ ନଥିଲା। ୨୦୧୯ରେ ତାଙ୍କ ସ୍ଥାନରେ ଲୋକସଭା ପାଇଁ ବିଜେଡି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଟିକେଟ ଦେଇଥିଲା। ତେବେ, ବିଜେଡିକୁ ଏହି ଆସନ ହରାଇବାକୁ ପଡ଼ିଲା।