ସମ୍ବଲପୁର: ସମ୍ବଲପୁର ସହରର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ରେ ହୋଇଛି ସଶସ୍ତ୍ର ଡକାୟତି। ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କେଜିରୁ ଅଧିକ ଓଜନର ସୁନା ଓ ୪ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି। ଆଇଜି ହିମାଂଶୁ ଲାଲ, ଏସ୍ପି ମୁକେଶ ଭାମୁ, ଏସ୍ଡିପିଓ ତୋଫାନ୍ ବାଗଙ୍କ ସହିତ ଅଇଁଠାପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଘଟଣା ଘଟିବାର କିଛି ସମୟ ମଧ୍ୟରେ ସମ୍ବଲପୁର ସୀମାକୁ ସିଲ୍ କରାଯିବା ସହ ବାହାର ରାଜ୍ୟକୁ ଟିମ୍ ପଠାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସକୁ କୌଣସି ସଫଳତା ମିଳି ନାହିଁ। ଏହା ପୂର୍ବରୁ ମୁଥୁଟ୍ ଫାଇନାନ୍ସରେ ମଧ୍ୟ ଏଭଳି ଡକାୟତି ଘଟଣା ଘଟିଥିଲା।
ମଣପୁରମ ଫାଇନାନ୍ସ ଲିମିଟେଡ୍ର ସହକାରୀ ଶାଖା ମୁଖ୍ୟ ସୁଧୀର ନାଥଙ୍କ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ୩୦ମିନିଟ୍ ସମୟରେ ସେ ନିଜେ, ବ୍ୟାଙ୍କର ଶାଖା ପରିଚାଳକ ଓ ଅନ୍ୟଜଣେ ମହିଳା ଅଧିକାରୀ କାର୍ଯ୍ୟାଳୟ ଖୋଲିଥିଲେ। ପଞ୍ଚିଂ କରିବା ପରେ କୌଣସି କାର୍ଯ୍ୟ ପାଇଁ ଶାଖା ପରିଚାଳକ ମୁଖ୍ୟ କାର୍ଯ୍ୟାଳୟ ସଂଲଗ୍ନ ନିଜ ଚାମ୍ବର୍କୁ ଯାଇ ପୁଣି ଆସିଥିଲେ। ଏହାପରେ ଶାଖା ପରିଚାଳକ ଏବଂ ସହକାରୀ ଶାଖା ପରିଚାଳକ ଲକରରୁ ନଗଦ ୪.୮୧ ଲକ୍ଷ ଟଙ୍କା ବାହାର କରି ନିଜ କାର୍ଯ୍ୟ ଆରମ୍ଭ କରିଥିଲେ। ମହିଳା ଅଧିକାରୀ ପାଣି ପାଇଁ ତଳକୁ ଯାଇଥିଲେ। ସେହି ସମୟ ପର୍ଯ୍ୟନ୍ତ କୌଣସି ଗ୍ରାହକ ବ୍ୟାଙ୍କକୁ ଆସିନଥିଲେ। ଅଚାନକ ୩ ରୁ ୪ ଜଣ ବନ୍ଧୁକଧାରୀ ଡକାୟତ ହେଲମେଟ୍ ଓ ମାସ୍କ ପିନ୍ଧି ଭିତରକୁ ପଶିଥିଲେ। ଶାଖା ପରିଚାଳକ ଓ ମହିଳା ଅଧିକାରୀ ଡକାୟତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମାଡ଼ ମାରିଥିଲେ। ଏକ ମୋଟା ସେଲୋଟ୍ୟାପ୍ରେ ସମସ୍ତଙ୍କୁ ବାନ୍ଧି ଦେଇଥିଲେ। ଡକାୟତମାନେ ବନ୍ଧୁକ ଦେଖାଇ ମ୍ୟାନେଜର କିଏ ଏବଂ ଚାବି କେଉଁଠି ଅଛି ବୋଲି ପଚାରିଥିଲେ। ସୁଧୀର ନାଥ ଶାଖା ପରିଚାଳକଙ୍କ ଆଡ଼କୁ ଇଙ୍ଗିତ କରିଥିଲେ। ଡକାୟତମାନେ ଶାଖା ପରିଚାଳକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇ ଚାବି କେଉଁଠି ଅଛି ବୋଲି ପୁଣିଥରେ ପଚାରିଥିଲେ।
କର୍ମଚାରୀଙ୍କୁ ବାନ୍ଧି ଲୁଟିଲେ
ବାଜିଲାନି ସାଇରନ୍, ବିଳମ୍ବରେ ପହଞ୍ଚିଲା ପୁଲିସ
ସେହି ସମୟରେ ସୁନା ଲକରରେ ଥିଲା। ଏହାକୁ ଖୋଲିବା ପାଇଁ ପାସ୍ୱର୍ଡ ଆବଶ୍ୟକ ଥିଲା। ଶାଖା ପରିଚାଳକଙ୍କ କହିବାନୁସାରେ ସହକାରୀ ଶାଖା ପରିଚାଳକ ସୁଧୀର ଡକାୟତମାନଙ୍କୁ ସୁନା ଲକର ପାଖକୁ ନେଇ ଯାଇଥିଲେ। ସୁଧୀର ପାସ୍ୱାର୍ଡ ନଦେବାରୁ ଡକାୟତମାନେ ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଯେମିତି ସାଇରନ୍ ବାଜିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଡକାୟତମାନେ ଲକରରେ ଥିବା ୨୮କେଜିରୁ ଅଧିକ ଓଜନର ସୁନା ସହିତ ନଗଦ ଟଙ୍କା ନେଇ ଯାଇଥିଲେ। ମାତ୍ର ୨୦ ରୁ ୨୫ମିନିଟ୍ ମଧ୍ୟରେ ଏତେ ବଡ଼ କାଣ୍ଡ ଘଟିଥିଲା। ଏଭଳି କୌଣସି ଅଘଟଣ ଘଟିଲେ ପୁଲିସକୁ ସୂଚନା ଦେବା ପାଇଁ ସାଇରନ୍ ବ୍ୟବସ୍ଥା ରହିଛି। ମାତ୍ର ଏହି ଘଟଣାର ୨୫ ମିନିଟ୍ ପର୍ଯ୍ୟନ୍ତ ସାଇରନ୍ ବାଜିନଥିଲା। ଡକାୟତି ପରେ କର୍ମଚାରୀମାନେ ଫୋନ୍ କରି ପୁଲିସକୁ ଜଣାଇଥିଲେ। ସିସିଟିଭିରେ ଡକାୟତମାନଙ୍କ ଯିବାର ଦୃଶ୍ୟ ମଧ୍ୟ କଏଦ ହୋଇଛି। ଡକାୟତମାନେ ପୂର୍ବରୁ କିଛି ଦିନ ଧରି ଲଗାତାର ଗ୍ରାହକ ବେଶରେ ଏଠାକୁ ଆସୁଥିଲେ ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କର୍ମଚାରୀମାନେ କହିଛନ୍ତି। ସୂଚନା ଅନୁଯାୟୀ, ମଣପୁରମ ଫାଇନାନ୍ସ ଲିମିଟେଡ୍ ଗ୍ରାହକଙ୍କଠାରୁ ସୁନା ବନ୍ଧକ ରଖି ଟଙ୍କା ଋଣ ଦେଇଥାଏ।
ଆଇଜି ହିମାଂଶୁଲାଲ କହିଛନ୍ତି, ଯଥାଶୀଘ୍ର ଡକାୟତମାନଙ୍କୁ ଗିରଫ କରାଯିବ। ଏସ୍ପି ମୁକେଶ ଭାମୁ କହିଛନ୍ତି, ଡକାୟତି ଘଟିବାର ୨୦ ମିନିଟ୍ ପରେ ସାଇରନ୍ ବାଜିଥିଲା। ଶୀଘ୍ର ବାଜିଥିଲେ, ପୁଲିସକୁ ତଦନ୍ତ ପାଇଁ ସହଜ ହୋଇଥାଆନ୍ତା। ସୀମା ସିଲ୍ କରି ଦିଆଯାଇଛି। ପୂର୍ବରୁ ଏହି ଡକାୟତମାନେ ଗ୍ରାହକ ବେଶରେ ଆସିଥିଲେ। ସେମାନେ ଓଡ଼ିଶା ବାହାରର ଅଟନ୍ତି। ଏସ୍ଡିପିଓ ତୋଫାନ୍ ବାଗ କହିଛନ୍ତି, ଖବର ପାଇବା ପରେ ଯଥାଶୀଘ୍ର ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମସ୍ତେ ହେଲମେଟ୍ ପିନ୍ଧିବା ସହିତ ମାସ୍କ ଲଗାଇଥିବାରୁ ଡକାୟତଙ୍କ ଚେହେରା ଜଣାପଡ଼ୁ ନାହିଁ। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ ହୋଇଛି। ସେମାନେ ଜାତୀୟ ରାଜପଥ ଆଡ଼କୁ ଯାଇଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।