ଢେଙ୍କିକୋଟ : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ସନାତନ ନାୟକଙ୍କ ପତ୍ନୀଙ୍କ ବେକରେ ଭୁଜାଲି ଲଗାଇ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେପଶି ଅନ୍ୟୂନ ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗତକାଲି ସନାତନ ଘରେ ନଥିବା ବେଳେ ଏଭଳି ଘଟଣା ଘଟିଛି।

Advertisment

ଗତାକ‌ାଲି ସନାତନଙ୍କ ପତ୍ନୀ ତପସ୍ୱିନୀ ନାୟକ ଓ ୨ ପୁଅ ଝିଅ ଘରେ ଥିଲେ। ରାତି ପ୍ରାୟ ଦେଢଟା ସମୟରେ କେହି ଘର କବାଟ ବାଡେଇଥିଲେ। ସନାତନ କବାଟ ବାଡ଼ାଉଥିବା ଭାବି ତପସ୍ୱିନୀ କବାଟ ଖୋଲି ଦେଇଥିଲେ। କବାଟ ଖୋଇବା ମାତ୍ରକେ ମୁଖାପିନ୍ଧା ଦୁର୍ବୃତ୍ତମାନେ ତାଙ୍କ ବେକରେ ଭୁଜାଲି ଲଗାଇ ଧମକାଇଥିଲେ। ଯଦି ସୁନା ଅଳଙ୍କାର ନଦେବୁ ତେବେ ପିଲା ଦୁହିଁଙ୍କୁ ମାରିଦେବୁ ବୋଲି କହିଥିଲେ। ଫଳରେ ଭୟଭୀତ ହୋଇ ତପସ୍ୱିନୀ ସୁନାଅଳଙ୍କାର ରଖିଥିବା ସ୍ଥାନ ଦେଖାଇ ଦେଇଥିଲେ। ଦୁର୍ବୃତ୍ତମାନେ ସୁନାରୁପା ଧରି ଚମ୍ପଟ ମାରିବା ସମୟରେ ତପସ୍ୱିନୀଙ୍କ କାନରୁ କାନଫୁଲ ଛିଣ୍ଡାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଏନେଇ ତପସ୍ୱିନୀ ଘଟଗାଁ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଓଡ଼ିଆରେ କଥା ହେଉଥିବା ଏହି ଚୋରକୁ ଠାବ କରିବା ଉଦ୍ୟମ ଚଳାଇଛି।