ମଣ୍ଡି ସ୍ଥାନ ପରିବର୍ତନ, ଉଠିଲାନି ଧାନ, ମୁଣ୍ଡିପଦର ସେବା ସମବାୟ ସମିତିରେ ତାଲା ଠୁଙ୍କିଲେ ଚାଷୀ

ସାହାଜପାଲ : ବୌଦ୍ଧ ବ୍ଲକ୍‌ ମୁଣ୍ଡିପଦର ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନ ସୋମବାର ଉଠିଥାନ୍ତା। ୨୭ଜଣ ଚାଷୀଙ୍କ ଠାରୁ ୧୫୮୦ କ୍ବିଣ୍ଟାଲ୍‌ ୩୨ କେଜି ଧାନ ନେବାପାଇଁ  ପାହାଡ଼ବାଲି, ରାଣୀଶକ୍ତି, ସେରାବାଲି, ଗୋପୀନାଥ ଆଦି ମିଲରଙ୍କୁ ଅନୁମତି ମଳିଥିଲା। କିନ୍ତୁ ନିର୍ଧାରିତ ସମୟରେ ଧାନ ନଉଠିବାରୁ ଚାଷୀ ସମବାୟରେ ତାଲା ପକାଇ ଧାରଣାରେ ବସିଥିବା ଅଭିଯୋଗ ହୋଇଛି।

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ଧାନ ମଣ୍ଡିର ସ୍ଥାନ ପରିବର୍ତନ କରାଯାଇ କାଶଲପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଧାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଚାଷୀ ଏହି ସ୍ଥାନକୁ ବିରୋଧ କରି ସମବାୟର ନିଜସ୍ୱ ୟାର୍ଡରେ ଧାନ କିଣିବାକୁ ଦାବି କରିଥିଲେ। ଏନେଇ ଗତ ୪ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଚାଷୀ ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ୨୭ଜଣ ଚାଷୀ ନିଜର ଧାନସବୁ ସମବାୟର ନିଜସ୍ୱ ୟାର୍ଡକୁ ଆଣିଥିଲେ। ସରକାରୀ ନିୟମ ଅନୁଯାୟୀ କୌଣସି ମିଲର ଧାନ ନେବାକୁ ଆସିନଥିଲେ। ତେଣୁ ଚାଷୀ ଉତ୍ୟକ୍ତ ହୋଇ ସମବାୟରେ ତାଲା ପକାଇ ଧାରଣାରେ ବସିଥିଲେ। ଖବର ପାଇ ଘଟଣାସ୍ଥଳରେ ଏଆରସିଏସ୍‌ ବୌଦ୍ଧ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଏନେଇ ସମବାୟ ଭାରପ୍ରାପ୍ତ ସମ୍ପାଦକ ଆନଦ ପଟ୍ଟନାୟକଙ୍କୁ ପଚାରିବାରୁ, ଚାଷୀ ଭୁଲରେ ପୁରୁଣା ସ୍ଥାନକୁ ଧାନ ବିକ୍ରି କରିବା ପାଇଁ ନେଇଆସିଛନ୍ତି। ତଥାପି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର