ଗୋପାଳପୁର ମିଲିଟାରି ଷ୍ଟେସନରେ ସେନା ମୁଖ୍ୟ

ଗୋପାଳପୁର : ଶନିବାର ସଂଧ୍ୟାରେ ଗୋପାଳପୁର ମିଲିଟାରି ଷ୍ଟେସନ ଓ ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନସ୍‌ କଲେଜ(ଏଡି କଲେଜ) ପରିଦର୍ଶନରେ ଆସିଥିଲେ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ। ଆଜି ଅପରାହ୍ନରେ ଜେନେରାଲ୍‌ ରାଓ୍ଵତ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଫେରି ଯାଇଥିବା ଜଣାପଡ଼ିଛି। ସେନା ମୁଖ୍ୟଙ୍କ ଏହି ଗସ୍ତ ସମୟରେ ଗୋପାଳପୁର ମିଲିଟାରୀ ଷ୍ଟେସନର ଲ୍ୟୁଟେନାଣ୍ଟ ଜେନେରାଲ ପି.ଏସ୍‌.ଜାଗି ଓ ଅନ୍ୟ ବରିଷ୍ଠ ସେନା ଅଧିକାରୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ। ମିଲିଟାରି ଷ୍ଟେସନ୍‌ ପରିସରରେ ଥିବା ଆର୍ମି ଏଡି କଲେଜ ଓ ସେନା ପ୍ରଶିକ୍ଷଣ କେନ୍ଦ୍ର ଓ ସେଠାକାର ଭିତ୍ତିଭୂମି ସଂପର୍କରେ ସେନା ମୁଖ୍ୟଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ ଲ୍ୟୁଟେନାଣ୍ଟ ଜେନେରାଲ୍‌ ଜାଗି। ଆଜି ମିଲିଟାରି ଷ୍ଟେସନ୍‌ ପରିସରରେ ଆୟୋଜିତ ଏକ ଆଭ୍ୟନ୍ତରୀଣ ସମ୍ମିଳନୀରେ ସେନା ମୁଖ୍ୟ ଜେନେରାଲ୍‌ ରାଓ୍ଵତ ଉପସ୍ଥିତ ସେନା ଅଫିସର ଓ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହ କଲେଜ ପରିସରରେ ରହିଥିବା ବିଭିନ୍ନ ଆନୁଷଙ୍ଗିକ ପ୍ରଶିକ୍ଷଣ ବ୍ୟବସ୍ଥା ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର