ଶ୍ରୀମନ୍ଦିରରେ ସେନାମୁଖ୍ୟ : ଆଶୀର୍ବାଦ ଲୋଡ଼ିଲେ

ପୁରୀ : ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଆଜି ସପତ୍ନୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୦ଟା ୪୦ ମିନିଟରେ ସେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ବାହାରକାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେଠାରୁ ବାହାରି ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା ପରେ ଆନନ୍ଦ ବଜାର ଦେଇ ୧୧ଟା ୧୫ ମିନିଟରେ ବାହାରକୁ ବାହାରିଥିଲେ।

ଏହି ଅବସରରେ ଶ୍ରୀ ରାଓ୍ଵତ୍‌ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ମହାପ୍ରଭୁଙ୍କୁ ନିଜ ପରିବାର ପାଇଁ ନୁହେଁ, ଦେଶ ଓ ଦେଶର ସେନାବାହିନୀ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସବୁ ଧର୍ମାନୁଷ୍ଠାନ ସମାନ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶରେ ଥିବା ସବୁ ଧର୍ମାନୁଷ୍ଠାନଗୁଡ଼ିକର ସୁରକ୍ଷା ଲାଗି ସେନା ବାହିନୀ ସର୍ବଦା ସତର୍କ ରହିଛି। ସେହିଭଳି କଶ୍ମୀର ସ୍ଥିତି ସୁଧୁରିବାରେ ଲାଗିଛି ବୋଲି ସେ କହିଥିଲେ। ସେନାଧ୍ୟକ୍ଷ ଶ୍ରୀ ରାଓ୍ଵତ୍‌ ସକାଳେ କଡ଼ା ସୁରକ୍ଷା ବଳୟ ଭିତରେ ହେଲିକପ୍ଟର ଯୋଗେ ଆସି ତାଳବଣିଆ ହେଲିପ୍ୟାଡ଼୍‌ରେ ଅବତରଣ କରିଥିଲୋ ସେଠାରୁ ତାଙ୍କୁ କାର୍‌ ଯୋଗେ ସର୍କିଟ ହାଉସ୍‌ ଅଣାଯାଇଥିଲା। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଏସ୍‌ପି ଡା. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ସେ ଗୋପାଳପୁର ଗୋଳାବନ୍ଧ ଅଭିମୁଖେ ବାହାରିିଥିଲେ। ଆଜି ରାତିରେ ସେ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜ ଗେଷ୍ଟ ହାଉସ୍‌ରେ ଅବସ୍ଥାନ କରିଛନ୍ତି। କାଲି ସେ ଓଡ଼ିଶାରୁ ଫେରିଯିବେ।

ସମ୍ବନ୍ଧିତ ଖବର