ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଆଧୁନିକୀକରଣ ପାଇଁ ୨୦ଲକ୍ଷ ଟଙ୍କା

ଭୁବନେଶ୍ୱର : ଓଡ଼ିଶାରେ ନାଟ୍ୟ ଦୁନିଆର ଏନ୍ତୁଡ଼ିଶାଳ ଭାବେ ଦିନେ ପରିଚିତି ଲାଭ କରିଥିଲା ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ। ହଜାର ହଜାର କଳାକାରଙ୍କୁ ସୃଷ୍ଟି କରିଥିଲା ଏହି ମଞ୍ଚ। ମାତ୍ର ରାଜ୍ୟର ଅନେକ ଅତ୍ୟାଧୁନିକ ରଙ୍ଗମଞ୍ଚର ଆଢ଼ୁଆଳରେ ପୁରୁଣା କାଳିଆ ରଙ୍ଗମଞ୍ଚରେ ସତ୍ତା ହରାଇବାକୁ ବସିଥିଲା ଏହି ଥିଏଟର। ଢେର୍‌ ଦିନ ହେଲା ଏନେଇ ବାରମ୍ବାର ଏହି ଥିଏଟରର ଅତ୍ୟାଧୁନିକତାକୁ ନେଇ ଦାବି ଉଠିଥିଲା। ଶେଷରେ ଡେରିରେ ହେଉ ପଛେ ପୁରୀର ଏହି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପାଇଁ ସରକାରଙ୍କ ସଂସ୍କୃତି ବିଭାଗ ଅନୁକମ୍ପା ଦେଖାଇଛନ୍ତି। ଏନେଇ ଏକ ବଡ଼ ବଜେଟ୍‌ ଘୋଷଣା କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏହି ଐତିହ୍ୟସମ୍ପନ୍ନ ରଙ୍ଗମଞ୍ଚକୁ ଅତ୍ୟାଧୁନିକ ଛୁଆଁ ଦେବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। ରାଜ୍ୟ ସଂସ୍କୃତି ପାଣ୍ଠିରୁ ଏହା ପ୍ରଦାନ କରାଯିବ।

୧୯୩୬ରେ ଆରମ୍ଭ ହୋଇଥିଲା ଅନ୍ନପୂର୍ଣ୍ଣା ଥିଏଟର। ସୌଖିନ ନାଟ୍ୟଶିଳ୍ପୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରଙ୍ଗମଞ୍ଚ ପରବର୍ତୀ ସମୟରେ ପେସାଦାର କଳାକାର ସୃଷ୍ଟି କରିଥିଲା। ଏଠାରେ ନିୟମିତ ନାଟକ ପରିବେଷଣ ସହ ନାଟକ ଦେଖିବା ପାଇଁ ଟିକେଟ୍‌ ବ୍ଲାକ୍‌ ହେଉଥିଲା। ଅନ୍ନପୂର୍ଣ୍ଣା ଥିଏଟର ଗ୍ରୁପ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ନାଟକ ପରିବେଷଣ କରିବା ବେଳେ ଲୋକେ ଏହି ପେସାଦାର ଶିଳ୍ପୀଙ୍କ ନାଟକ ଦେଖିବା ପାଇଁ ଭିଡ଼ ଜମାଉଥିଲେ। ସେଇଠୁ ହିଁ ରାଜ୍ୟର ଅନେକ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର, ନିର୍ଦେଶକ, କଳାକାରମାନେ ଉତ୍ସାହିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପୁରୀ ଅନ୍ନପୂର୍ଣ୍ଣାର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରସ୍ତାବ ଦେଇଥିଲେ। ପୁରୀ ଜିଲ୍ଲାପାଳ ମଧ୍ୟ ଅନୁରୂପ ଭାବେ ସୁପାରିସ୍‌ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏଭଳି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଅପୂର୍ବ ସଫଳତା ପରେ କଟକରେ ଅନ୍ନପୂର୍ଣ୍ଣା-ବି ଗ୍ରୁପ୍‌ ଜନ୍ମ ନେଇଥିଲା। ଓଡ଼ିଶାର ନାଟ୍ୟ ଆନ୍ଦୋଳନକୁ ଜୀବନ୍ତ ରଖିଥିବା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରାଜ୍ୟର ସାଂସ୍କୃତିକ ଐତିହ୍ୟର ପ୍ରମାଣ ବହନ କରୁଥିବାରୁ ସରକାରଙ୍କ ଏହି ସହାୟତା ବଳରେ ଅନ୍ନପୂର୍ଣ୍ଣାକୁ ଏକ ଆଧୁନିକ ପ୍ରେକ୍ଷାଳୟରେ ପରିଣତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର