ଭୁବନେଶ୍ବର: ସମ୍ବାଦ ଗ୍ରୁପ୍‌ ଦ୍ବାରା ଆୟୋଜିତ ତିନି ଦିନିଆ ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀର ଆଜି ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ତାଙ୍କର ଅଭିଭାଷଣ ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ ପାଇଁ ସଜାଗ ହେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପୃଷ୍ଠଭୂମି ହେବା ଦରକାର ବୋଲି ସେ ମତ ରଖିଛନ୍ତି।

Advertisment

ସେ ଆହୁରି ବି କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନର କୁପରିଣାମ କୃଷିକୁ ଯଥେଷ୍ଟ ପ୍ରଭାବିତ କରେ। ଜଳବାୟୁ ପରିବର୍ତ୍ତନ ସହିତ ଆମକୁ ଖାପ ଖୁଆଇ ଚଳିବା ଆବଶ୍ୟକ। ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି। ଯେମିତିକି ପାଣିପାଗକୁ ନେଇ ଆମେ ଚାଷୀମାନଙ୍କୁ ଯଥେଷ୍ଟ ପୂର୍ବରୁ ସତର୍କ ସୂଚନା ଦେଇପାରୁଛୁ। ବର୍ତ୍ତମାନ ସମୟରେ ସୂଚନା ହେଉଛି ସବୁଠାରୁ ଶକ୍ତିଶାଳୀ। ଦ୍ବିତୀୟ କଥା ହେଲା, ଜଳବାୟୁ ପରିବର୍ତ୍ତନ ଦିଗରେ ଖସଡ଼ା ପ୍ରସ୍ତୁତ ହେଉଛି। ଆମ ରାଜ୍ୟ ଓଡ଼ିଶା କୃଷିଭିତ୍ତିକ ରାଜ୍ୟ। ଏହା ଆମ ରାଜ୍ୟର ସବୁଠାରୁ ବଡ଼ ସଂପଦ। କୋରାପୁଟରେ ଉଚ୍ଚ ମାଦର ଚାଉଳ ଓଡାଲିଜାତୀୟ ଚାଷ ହେଉଛି। ଏଥିପାଇଁ ରାସାୟନିକ ସାରର କମ୍‌ ପ୍ରୟୋଗ କରାଯାଇ ସେଠାରେ ପ୍ରାକୃତିକ ଉପାୟକୁ ଅବଲମ୍ବନ କରୁଛନ୍ତି ଚାଷୀ। ସମଗ୍ର ବିଶ୍ବରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ‌; ଯେଉଁଠାରେ ପ୍ରାକୃତିକ ଉପାୟରେ ଡାଳିଜାତୀୟ ଚାଷ ସବୁଠାରୁ ଅଧିକ ହେଉଛି। ତୃତୀୟ ବିନ୍ଦୁଟି ହେଲା ସମାଜରେ ସବୁ ଧରଣର ଚାଷୀଙ୍କୁ ନେଇ କୃଷି କାର୍ଯ୍ୟକୁ ଅଗ୍ରସର କରାଇବା। ଏଥିରେ ପୁରୁଷ, ମହିଳା, ଆଦିବାସୀ ଭଳି ବିଭିନ୍ନ ଶ୍ରେଣୀର ଚାଷୀଙ୍କୁ ଗୁରୁତ୍ବ ଦିଆଯିବା ଦରକାର। ଓଡ଼ିଶା ସରକାର ଏକ୍ଷେତ୍ରରେ ସମସ୍ତଙ୍କୁ ସମାନ ଦୃଷ୍‌ଟିରେ ଦେଖୁଛନ୍ତି। କିନ୍ତୁ, ଏଥିରେ ବେସରକାରୀ ଉଦ୍ୟୋଗ ବା ସଂସ୍ଥାମାନେ ଅଧିକ ସଂଖ୍ୟାରେ ଯୋଗଦାନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ନିମ୍ନ ଜି.ଆଇ ଚାଷର ପ୍ରୟୋଗ ମଧ୍ୟ ହେଉଛି। ବର୍ତ୍ତମାନ କୃଷକମାନେ ବିଭିନ୍ନ ଭିଟାମିନ୍‌ ଓ ମିନେରାଲ୍‌ରେ ସମୃଦ୍ଧ ଶସ୍ୟ ଉତ୍ପାଦନ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ରାସାୟନିକ ସାର ଓ ଖତ ଆଦିର ଉପଯୁକ୍ତ ପରିମାଣରେ ପ୍ରୟୋଗ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ପରିବେଶ ସଂପର୍କିତ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ମଧ୍ୟ ଖୋଲାଯାଇଛି। ସେଥିରେ କୃଷକ, ଗବେଷକ ଓ ଉତ୍ପାଦକମାନେ କୃଷି ଓ ପରିବେଶ ସଂପର୍କିତ ଅଧିକ ତଥ୍ୟ ହାସଲ କରିପାରିବେ।’’