ଭୁବନେଶ୍ବର: ମଧ୍ୟ ଭରତର ଦୁର୍ଗମ ଅଞ୍ଚଳ ଓ ପୂର୍ବ ଭାରତରେ ନକ୍ସଲବାଦୀ-ମାଓବାଦୀ ବିଦ୍ରୋହ ଦୀର୍ଘ ୫୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଜାରି ରହିଛି। ବାମପନ୍ଥୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ସୃଷ୍ଟି ହୋଇଥିବା ମାଓ ରାଜନୈତିକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ମାଓବାଦୀ ଓ ନକ୍ସଲମାନେ ସରକାରଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳ ଓ ଆଦିବାସୀମାନଙ୍କର ଅଧିକାର ପାଇଁ ସଂଘର୍ଷ କରୁଥିବାର ଦାବି କରୁଛନ୍ତି। ୧୯୬୭ ମସିହାରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲା ସିଲିଗୁଡ଼ି ଉପଖଣ୍ଡ ଅଧୀନ ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ବିଦ୍ରୋହ ଯୋଗୁଁ ବିଗତ ୩୫ ବର୍ଷ ମଧ୍ୟରେ ପ୍ରାୟ ୪୦୦୦ରୁ ଅଧିକ ସାଧାରଣ ନାଗରିକ ଏବଂ ଆନୁମାନିକ ୨,୫୦୦ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ମଧ୍ୟ କୁହାଯାଇଥାଏ।

Advertisment

ତେବେ ଏହି ୩୫ ବର୍ଷ ମଧ୍ୟରେ ସମାଜର ବିଭିନ୍ନ ଶ୍ରେଣୀର ପ୍ରାୟ ୬୫୦୦ ଲୋକଙ୍କୁ ହତ୍ୟା କରିବା ପଛରେ ମାଓବାଦୀଙ୍କ ନିଶ୍ଚିତ ଭାବେ ଏକ ବଡ଼ ଉଦ୍ଦେଶ୍ୟ ଥାଇ ପାରେ। କିନ୍ତୁ ମାଓବାଦୀମାନେ ଆଉ ଆଗଭଳି ଶକ୍ତିଶାଳୀ ହୋଇ ରହି ନାହାନ୍ତି। ସଂଗଠନର ବରିଷ୍ଠ ସଦସ୍ୟ ନିପାତ ହୋଇଛନ୍ତି। ବର୍ତ୍ତମାନ ସମୟରେ ଯେଉଁ ଅଳ୍ପ କିଛି କ୍ୟାଡର ଅଛନ୍ତି, ସେମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ସରକାର ମଧ୍ୟ ଲାଲବାହିୀନକୁ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରିଛନ୍ତି। ଏତଦ ସହିତ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଲୋକ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ସରକାରଙ୍କ ଯୋଜନାରେ ଆକର୍ଷିତ ହୋଇ ଏବଂ ନିଜ ବଂଶର ଭବିଷ୍ୟତକୁ ଗୁରୁତ୍ବ ଦେଇ ମାଓମାଦୀମାନେ ମଧ୍ୟ ନିଜର ଚିନ୍ତା କରୁଛନ୍ତି। ନିଜେ କରିଥିବା କର୍ମର ସମୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି। ଏହାର ଉଦହାରଣ ହେଲା ବିଗତ କିଛି ମାସ ମଧ୍ୟରେ ପୁଲିସ ନିକଟରେ ଶହଶହ ମାଓବାଦୀ ଆତ୍ମସମର୍ପଣ କରିବା। 

ସରକାରଙ୍କ ଲୋକାଭିମୁଖୀ ଭିତ୍ତିଭୂମି ବିକାଶ ଏବଂ ବିଦ୍ରୋହ ବିରୋଧୀ ପ୍ରୟାସ ଯୋଗୁଁ ନକ୍ସଲଙ୍କ ପ୍ରଭାବ କ୍ଷେତ୍ର କୁହାଯାଉଥିବା ମଧ୍ୟ ଏବଂ ପୂର୍ବ ଭାରତରେ ଲାଲ କରିଡର ୧୯୯୦ ମସିହା ପରଠାରୁ ପ୍ରାୟ ୧୮୦ ଜିଲ୍ଲାର ଶୀର୍ଷରୁ ନାଟକୀୟ ଭାବରେ ହ୍ରାସ ପାଇ ୨୦୨୫ ଅଗଷ୍ଟ ମାସ ସୁଦ୍ଧା ମାତ୍ର ୧୨ ଜିଲ୍ଲାରେ ପହଞ୍ଚିଛି। ୨୦୧୫ରୁ ୨୦୨୫ ମଧ୍ୟରେ ଲାଲବାହିନୀର ୧୦,୦୦୦ରୁ ଅଧିକ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି।

ଏହାରି ମଧ୍ୟରେ ଛତିଶଗଡ଼ର ସିପିଆଇ (ମାଓବାଦୀ) ସଂଗଠନର ଜଣେ ପ୍ରମୁଖ ସଦସ୍ୟ ମଲ୍ଲୋଜୁଲା ବେଣୁଗୋପାଳ ଓରଫ ଅଭୟ ଓରଫ ଭୂପତି ଏକ ଚିଠି ଜାରି କରିଛନ୍ତି। ଏଥିରେ ସେ ସ୍ୱୀକାର କରିଛନ୍ତି ଯେ, ଅସ୍ତ୍ର ଉଠାଇବା ମାଓ ଆନ୍ଦୋଳନ ମଧ୍ୟରେ ସବୁଠାରୁ ବଡ଼ ଭୁଲ ଥିଲା। ସେ ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି। ଚାରି ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଯେ ଜଣେ ଶୀର୍ଷ ମାଓବାଦୀ ଆତଙ୍କବାଦୀ ଖୋଲାଖୋଲି କ୍ଷମା ମାଗିଛନ୍ତି। ଦୁଇ ଦିନ ପୂର୍ବରୁ ଭୂପତି ସଂଗଠନର ସରକାରୀ ଲେଟରହେଡରେ ମୁଖପାତ୍ର ଅଭୟଙ୍କ ନାମରେ ଏକ ଚିଠି ଜାରି କରିଥିଲେ। ଏଥିରେ ସେ ଅସ୍ତ୍ର ସମର୍ପଣ ଏବଂ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଚଠିକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ବିଶ୍ୱାସ କରନ୍ତି ଯେ ମାଓ ସଂଗଠନର ଦୁର୍ବଳତା ଏବଂ ଭାଙ୍ଗିପଡ଼ିବାର ଏକ ସଙ୍କେତ।

ପତ୍ରରେ ଭୂପତି ସ୍ପଷ୍ଟ କରିଛନ୍ତି ଯେ ଗତ ୪୦ ବର୍ଷର ସଶସ୍ତ୍ର ସଂଘର୍ଷ ଆଦିବାସୀ ଅଞ୍ଚଳଗୁଡ଼ିକୁ ବିକାଶ ଏବଂ ଶାନ୍ତିରୁ ଦୂରେଇ ନେଇଛି। ହଜାର ହଜାର ନିରୀହ ଗ୍ରାମବାସୀ, ମହିଳା ଏବଂ ଶିଶୁ ହିଂସାର ଶିକାର ହୋଇଛନ୍ତି। ତଥାକଥିତ ବିପ୍ଳବର ଆଳରେ, ଲୋକମାନେ କେବଳ ଭୟ, ହତାଶା ଏବଂ ବିନାଶ ପାଇଛନ୍ତି। ଭୂପତି ଅନ୍ୟ ମାଓବାଦୀମାନଙ୍କୁ ସେମାନଙ୍କର ହିଂସାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ଏକ ଗଣତାନ୍ତ୍ରିକ ଢାଞ୍ଚା ମଧ୍ୟରେ ଭବିଷ୍ୟତ ଖୋଜିବାକୁ ଅନୁରୋଧ କରିଛନ୍ତି।

୬୯ ବର୍ଷୀୟ ଭୂପତି ତେଲେଙ୍ଗାନାର କରିମନଗର ଜିଲ୍ଲାର ପେଡ୍ଡାପାଲିର ବାସିନ୍ଦା। ତାଙ୍କ ବଡ଼ ଭାଇ କିଶାନଜୀ ୨୦୧୧ ମସିହାରେ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ। ଭୂପତିଙ୍କ ପତ୍ନୀ ତାରକ୍କା ଗତ ବର୍ଷ ମହାରାଷ୍ଟ୍ରର ଗଡଚିରୋଲିରେ ଆତ୍ମସମର୍ପଣ କରିଥିଲେ। ଯେତେବେଳେ ତାଙ୍କ ଭଉଣୀ ସୁଜାତା, ଯାହାଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା ସେ ସମ୍ପ୍ରତି ଆତ୍ମସମର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପର୍ଯ୍ୟନ୍ତ ନାରାୟଣପୁରରେ ୧୭୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତବର୍ଷ ମଧ୍ୟରେ ବାସବ ରାଜୁ ସମେତ ଚାରି ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଛତିଶଗଡ଼ରେ ୪୬୩ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ରେ ୧୫୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 

Chhattisgarh