ନୋ ଭେଣ୍ଡିଂ ଜୋନ୍‌ ଘୋ‌ଷଣା ଧୂଆଁବାଣ: ଉଠା ଦୋକାନୀଙ୍କ କବ୍‌ଜାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ

ସିଂହଦ୍ୱାର ସହ ଚାରିଦ୍ୱାରରେ ଦୋକାନୀଙ୍କ ଭିଡ଼, ଭକ୍ତ କଲବଲ

ପୁରୀ : ଭକ୍ତଙ୍କ ପାଇଁ ଦର୍ଶନର ମାର୍ଗ ପ୍ରଶସ୍ତ ହେବ। ଶୃଙ୍ଖଳିତ ଦର୍ଶନ ସହ ସକରାତ୍ମକ ଭାବନା ନେଇ ଭକ୍ତ ଶ୍ରୀମନ୍ଦିରରୁ ଫେରିବେ। ଏଥିପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରାଗଲା। ଜମି ଅଧିଗ୍ରହଣ ବାବଦକୁ ଶହ ଶହ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ମଠ, ମନ୍ଦିର ସହ ବ୍ୟକ୍ତିଗତ ଘର ସବୁ ଉଚ୍ଛେଦ କରାଗଲା। ଉଚ୍ଛେଦ ପରେ ଭକ୍ତମାନେ ସୁବିଧାରେ ଯା’ଆସ କରିପାରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଚତୁଃପାର୍ଶ୍ବ ଉଚ୍ଛେଦ ପରେ ଭକ୍ତ ଏବେ ଆହୁରି କଲବଲ ହେଉଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ରାସ୍ତାର ଦୁଇପାର୍ଶ୍ବକୁ ଉଠା ଦୋକାନୀ, ଠେଲାଗାଡ଼ିମାନେ ଦଖଲରେ ରଖୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଫଳରେ ଚତୁଃପାର୍ଶ୍ବରେ ଅଯଥା ଭିଡ଼ ଲାଗିବା ସହ ଯା’ଆସରେ ଭକ୍ତମାନେ ଦୁର୍ଦ୍ଦଶା ଭୋଗୁଛନ୍ତି।


୬ ମାସ ତଳେ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ଯା’ଆସରେ ଅସୁବିଧା ହେଉଥିବା ଅନୁଭବ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିକୁ ନୋ ଭେଣ୍ଡିଂ ଜୋନ୍‌ ଘୋଷଣା କରିଥିଲା। ବିଶେଷ କରି ଭକ୍ତମାନଙ୍କ ଦର୍ଶନ ପାଇଁ ସିଂହଦ୍ବାର ଦେଇ ପ୍ରବେଶ ଓ ଉତ୍ତରଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିବାରୁ ଏହି ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ୍‌ ଘୋଷଣା କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବାରମ୍ବାର ଉଠା ଦୋକାନୀଙ୍କୁ ବି ହଟାଗଲା। ଖଜା ଦୋକନୀ, ମାଳି, ଚୁଡ଼ି, ପନିପରିବା ଦୋକାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ନିୟମିତ ଭାବେ ପୁଲିସ ବି ଜଗି ରହିଲେ। କିନ୍ତୁ କେଇ ମାସ ଭିତରେ ସବୁକିଛି ଭୁଲିଗଲାଣି ପ୍ରଶାସନ। ଫଳସ୍ବରୂପ ଚାରିଦ୍ବାରରେ ଉଠା‌ ଦୋକାନୀଙ୍କ ଅସମ୍ଭାଳ ଭିଡ଼ ଲାଗୁଛି।

ସିଂହଦ୍ବାର ସେଡ୍‌ କଡ଼ରେ ସଂକୁଚିତ ରାସ୍ତାରେ ବି ଏମାନେ ବସିବାକୁ କୁଣ୍ଠବୋଧ କରୁନାହାନ୍ତି। ଫଳରେ ଭକ୍ତମାନେ କିଣାକିଣି ପାଇଁ ଏଠାରେ ଭିଡ଼ ଲଗାଉଛନ୍ତି। ଯଦ୍ବାରା ସଂକୁଚିତ ଏହି ରାସ୍ତା ଆହୁରି ସଂକୁଚିତ ହେବା ସହ ଯା’ଆସରେ ସ୍ଥାନୀୟ ଲୋକଙ୍କ ସହ ଶ୍ରଦ୍ଧାଳୁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଆହୁରି ଅସମ୍ଭାଳ ସ୍ଥିତି ଉତ୍ତରଦ୍ବାରର। ଏଠାରେ ଲମ୍ବାଧାଡ଼ିରେ ଦୁଇପାର୍ଶ୍ବରେ ଉଠା ଦୋକାନୀମାନେ ବସି ରହୁଥିବାରୁ ଅଯଥା ଭିଡ଼ ବଢ଼ିବା ସହ ଯାତାୟାତ ରାସ୍ତା ଅବରୋଧ ହେଉଛି। ପାଖରେ ପୁଲିସ ଜଗି ରହୁଥିଲେ ବି ଏମାନଙ୍କୁ କେହି କିଛି କହୁନାହାନ୍ତି। ଫଳରେ ଏମାନେ ଜାଣିଶୁଣି ରାସ୍ତାକୁ ଅବରୋଧ କରୁଛନ୍ତି ଓ ଭିଡ଼ ବଢ଼ାଉଛନ୍ତି।

ସମ୍ବନ୍ଧିତ ଖବର