ସଭାସ୍ଥଳୀରେ ଟଳି ପଡ଼ିଲେ ଟେଣ୍ଟ କାରିଗର
ଝାରବନ୍ଧର ଶକ୍ତି ପଡ଼ିଆଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ଚାଲିଥିବା ବେଳେ ମଂଚର କିଛି ଦୂରରେ ଘଟିଥିଲା ଅଘଟଣ। ସଭା ପାଖରେ ଛିଡ଼ା ହୋଇଥିବା ରବୀନ୍ଦ୍ର ପାଲ ସେଠାରେ ଅଚାନକ ଅସୁସ୍ଥ ଅନୁଭବ କରି ଟଳି ପଡ଼ିଥିଲେ। ତାଙ୍କ ଘର କଟକ ତେଲେଂଗାବଜାରରେ। ସେ ଏଠାକୁ ଟେଣ୍ଟ କାରିଗର ଭାବେ ଦୁଇଦିନ ହେଲା ଆସିଥିଲେ। ତାଙ୍କ କାର୍ଯ୍ୟ ସାରି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ସମୟରେ ସେ ହେଲିପ୍ୟାଡ୍ ଠାରୁ ପ୍ରାୟ ୨ଶହ ମିଟର୍ ଦୂରରେ ଛିଡ଼ା ହୋଇଥିଲେ। ପୁଲିସ୍ ତାଙ୍କୁ ଆମ୍ବୁଲାନ୍ସରେ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲା। କିନ୍ତୁ ତାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା।
ଝାରବନ୍ଧ ନା ଝାଡ଼ଖଣ୍ଡ?
ଝାରବନ୍ଧ ନା ଝାଡ଼ଖଣ୍ଡ? ଝାରବନ୍ଧ ସମାବେଶ ବେଳେ ସ୍ବାଗତ ଭାଷଣ ଦେବାବେଳେ ବିଧାୟକ ଦେବୀପ୍ରସାଦ ମିଶ୍ର ‘ଝାରବନ୍ଧ’ ବଦଳରେ ‘ଝାଡ଼ଖଣ୍ଡ’ ବୋଲି ଦୁଇଥର କହିଥିଲେ। ଅବଶ୍ୟ ପରେ ନିଜ ବକ୍ତବ୍ୟରେ ଏହାକୁ ସୁଧାରି ନେଇଥିଲେ। କିନ୍ତୁ ମଂଚ ତଳେ ଥିବା ଲୋକେ ଏହାକୁ ନେଇ ସାମାନ୍ୟ ହାସ୍ୟରୋଳ କରିଥିଲେ। ସେହିପରି ବିଧାୟକ ସୁଶାନ୍ତ ସିଂହ ନିଜ ବକ୍ତବ୍ୟ ବେଳେ ଥରୁଟିଏ ‘ଝାରବନ୍ଧରେ ବିକାଶର ବନ୍ୟା‘ ବଦଳରେ ‘ଅମ୍ବାଭୋନାରେ ବିକାଶର ବନ୍ୟା’ ବୋଲି କହିଥିଲେ।
କଳାକନାକୁ ନା
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ସଭାରେ ଲୋକଙ୍କୁ କଡ଼ା ଯାଂଚ ପରେ ସଭାସ୍ଥଳୀକୁ ଛଡ଼ା ଯାଉଥିଲା। ପୁରୁଷ ହେଉ କି ମହିଳା, କଳାକନା ପରିଧାନ କଲେ ତାଙ୍କୁ ବାରଣ କରାଯାଉଥିଲା। କଳା ରଂଗର ସ୍କାର୍ପ, ଗାମୁଛାକୁ ଜବତ କରି ସଭା ପରେ ଲୋକଙ୍କୁ ପୁଣି ଫେରାଇ ଦିଆଗଲା।
ପଦ୍ମପୁର ପାଇଁ ପ୍ୟାକେଜ୍ ବର୍ଷା
ମୁଖ୍ୟମନ୍ତ୍ରୀ ନିଜ ଗସ୍ତ ବେଳେ ପ୍ୟାକେଜ୍ର ବର୍ଷା କରିଛନ୍ତି। ପଦ୍ମପୁର ବ୍ଲକ୍ରେ ୭୨୨ଟି ପ୍ରକଳ୍ପ ପାଇଁ ୩୧୦୦ଲକ୍ଷ ଟଙ୍କା, ପାଇକମାଳ ବ୍ଲକରେ ୬୪୮ଟି ପ୍ରକଳ୍ପ ପାଇଁ ୨୯୩୩.୫୬ ଲକ୍ଷ ଟଙ୍କା, ଝାରବନ୍ଧ ବ୍ଲକରେ ୩୩୦ଟି ପ୍ରକଳ୍ପ ପାଇଁ ୯୦୨୪.୯୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅର୍ଥାତ୍ ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ୧୭୦୦ଟି ପ୍ରକଳ୍ପ ପାଇଁ ସର୍ବମୋଟ ୧୫୦୫୮.୫୫ ଲକ୍ଷ ଟଙ୍କାର ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ପଦ୍ମପୁର ବ୍ଲକ୍ରେ ୯୬ଟି ପ୍ରକଳ୍ପ ପାଇଁ ୪୪୯.୦୦ ଲକ୍ଷ ଟଙ୍କା, ପାଇକମାଳ ବ୍ଲକ୍ରେ ୨୦ଟି ପ୍ରକଳ୍ପ ପାଇଁ ୭୯୪.୮୫ ଲକ୍ଷ ଟଙ୍କା, ଝାରବନ୍ଧ ବ୍ଲକ୍ରେ ୧୧ଟି ପ୍ରକଳ୍ପ ପାଇଁ ୮୮୫.୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଅର୍ଥାତ୍ ନିର୍ବାଚନମଣ୍ଡଳୀ ପାଇଁ ୧୨୭ଟି ପ୍ରକଳ୍ପ ପାଇଁ ସର୍ବମୋଟ ୨୧୨୯.୨୩ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ।