ଚୋରି ହେଉଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଭଗ୍ନ ଅଂଶ

ମୁହଁ ଖୋଲିବାରୁ ଯୁବକଙ୍କୁ ନିସ୍ତୁକ ମାଡ଼, ଡାକ୍ତରଖାନାରେ ଭର୍ତ୍ତି, ଥାନାରେ ଏତଲା

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ୭୫ ମିଟର ପରିଧିରେ ଥିବା ମଠ, ମନ୍ଦିର, ବ୍ୟକ୍ତିଗତ ଗୃହ ଭଙ୍ଗା ହେବା ପରେ ଏହାର ଭଗ୍ନାଂଶ ଚୋରି ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ରାତି ଗଡ଼ିଲେ ଅଜଣା ଜାଗାରେ ଏହି ଭଗ୍ନାଂଶ ବିକ୍ରି ହେଉଛି। ଯେଉଁ ପରିମାଣରର ଭଗ୍ନାଂଶ ଉଠାଯାଉଛି, ତାର ହିସାବରେ ଗୋଳମାଳ କରାଯାଉଛି। ଆଉ ଏହି ଘଟଣା ଧରା ପକାଇ ଦେବାରୁ ଜନୈକ ଯୁବକଙ୍କୁ ନିସ୍ତୁକ ମାଡ଼ ହୋଇଛି। ପଥରେ ଛେଚି ମାରିଦେବାକୁ ଉଦ୍ୟମ ହୋଇଛି। ଯୁବକ ଜଣକ ବାସେଳିସାହି ଥାନା ହାତୀ ଗୁରୁଦେବ ଲେନ୍‌ର ଜୟକୃଷ୍ଣ ଦାସଙ୍କ ପୁଅ ସୁବ୍ରତ କୁମାର ଦାସ (୪୦)।

ସୁବ୍ରତ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ଏ ସଂପର୍କରେ ବାସେଳି ସାହି ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି। ସୁବ୍ରତଙ୍କ ଅଭିଯୋଗ ମୁତାବକ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରେ ଯେଉଁ ଉଚ୍ଛେଦ କାର୍ଯ୍ୟ ଚାଲିଛି, ତାର ଭଗ୍ନାବଶେଷ ଉଠାଇବା ପାଇଁ ଏକାଧିକ ଗାଡ଼ି ଲାଗିଛି। ଏହି ଭଗ୍ନାବଶେଷ ଚଢ଼ା ଦରରେ ବିକ୍ରି ହେଉଛି। ଯେଉଁ ପରିମାଣର ଭଗ୍ନାଂଶ ଉଠାଯାଉଛି, ହିସାବରେ ତାକୁ କମାଇ ଦିଆଯାଉଛି। ଯେତିକି ଟ୍ରକ୍ ଭଗ୍ନାଂଶ ଉଠାଯାଉଛି, ତାଲିକାରେ ସେଥିରେ କମାଇ ଦିଆଯାଉଛି। କିଛିଦିନ ତଳେ ସୁବ୍ରତ ଏ ସଂପର୍କରେ ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିଥିଲେ। ଏପରିକି ଏହି ଘଟଣା ପ୍ରଶାସନିକ ଅଧିକାରୀ ଓ ଠିକାକାରଙ୍କ ଜ୍ଞାତସାରରେ ଚାଲିଥିବା ସେ ଜଣାଇବାକୁ ଚାହିଁଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟ‌ାରେ ସେ ପଶ୍ଚିମ ଦ୍ବାର ପାଖରେ ବସିଥିବା ବେଳେ ସିଂହଦ୍ବାର ଥାନା ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଆସି ତାଙ୍କୁ ଏ ସଂପର୍କରେ ପଚରାଉଚରା କରିଥିଲେ ବୋଲି ସୁବ୍ରତ କହିଛନ୍ତି।

ଉପଜିଲ୍ଲାପାଳ ସେଠାରୁ ଚାଲିଯିବା ପରେ ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡ଼ି ଲଗାଇ ଭଗ୍ନାବଶେଷ ଉଠାଉଥିବା ଠିକାଦାରମାନେ ତାଙ୍କୁ ଧମକ ଚମକ ଦେଖାଇଥିଲେ। ଉପଜିଲ୍ଲାପାଳଙ୍କୁ କ’ଣ ଅଭିଯୋଗ କରୁଥିଲୁ କହି ମାଡ଼ ମାରିଥିଲେ। ପାଖରେ ପଡ଼ିଥିବା ପଥର ଧରି ଛେଚି ଦେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଜୀବନରକ୍ଷା ପାଇଁ ଏକ ଘରେ ପଶି ଯାଉଥିବାବେଳେ ଆକ୍ରମଣକାରୀମାନେ ତାଙ୍କୁ ଟାଣିଆଣି ତଳେ ପକାଇ ନିସ୍ତୁକ ପିଟିଥିଲେ ବୋଲି ସୁବ୍ରତ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଥାନାକୁ ନିବେଦନ କରିଛନ୍ତି। ଅନ୍ୟପଟେ ସୁବ୍ରତ ଯେଉଁ ସାଂଘାତିକ ଅଭିଯୋଗ ଆଣିଛନ୍ତି, ତାହା ଏକ ବଡ଼ ଘୋଟାଲା ଆଡ଼କୁ ଅଙ୍ଗୁଳି ଉଠାଇଛି। ଏ ଦିଗରେ ବିଧିବଦ୍ଧ ତଦନ୍ତ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର