ଆରପାରିରେ ଶାନ୍ତିଲତା ବାରିକ: ଆଜି ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର

ଭୁବନେଶ୍ବର: ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ କଣ୍ଠରୁ ଆଉ ଶୁଭିବନି ଭାବପୂର୍ଣ୍ଣ ଭଜନ। କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଦୀର୍ଘକାଳ ଧରି ଚିକିତ୍ସିତ ହେଉଥିବା ଏହି ସ୍ବରଶିଳ୍ପୀ ଭୁବନେଶ୍ବରର ଏକ ‌ଘରୋଇ ଡାକ୍ତରଖାନାରେ ଆଜି ରାତି ୮ଟାରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ୨୦୧୧ ମସିହାରୁ କର୍କଟ ରୋଗରେ ପଡ଼ିଥିଲେ। କୋଭିଡ୍‌ ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇାପଡ଼ିଥିଲା। ଗତବର୍ଷ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ମିଛ ଖବର ମଧ୍ୟ ପ୍ରଚାରିତ ହୋଇଥିଲା। ଆଜି ମୃତ୍ୟୁ ଖବର ଆସିବା ପରେ ସାରା ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା ତାଙ୍କର ହଜାର ହଜାର ପ୍ରଶଂସକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ବିନ୍ଦୁ ସାଗର ନିକଟସ୍ଥ ବାସଭବନକୁ ନିଆଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଂଜନ ଦାସ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଛନ୍ତି। ଆସନ୍ତାକାଲି ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଶାନ୍ତିଲତା ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଗୀତ ଗାଉଥିଲେ। ତାଙ୍କ ଗୀତସବୁ ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା। ସେଇଥିପାଇଁ ଭଜନ କ୍ଷେତ୍ରରେ ଭିକାରୀ ବଳ ଓ ଅରବିନ୍ଦ ମୁଦୁଲିଙ୍କ ପରି ଶାନ୍ତିଲତା ବାରିକ ପ୍ରତିଟି ଓଡ଼ିଆ ଘରେ ଏକ ପରିଚିତ ନାମ। ସେ ୧୯୫୮ ମସିହାରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ବିଷ୍ଣୁପୁରରେ ଜନ୍ମଗ୍ରହଣ କରିଥିଲେ। ଶାନ୍ତିଲତାଙ୍କର ବାହାଘର ବ୍ରହ୍ମଗିରି ଅଞ୍ଚଳର କୁଣବେଣ୍ଟି ନିବାସୀ ବସନ୍ତ ଛୋଟରାୟଙ୍କ ସହିତ ହୋଇଥିଲା। ତାଙ୍କର ଦୁଇ ପୁଅ ହେଲେ ଅବିନାଶ ଓ ସତ୍ୟଜିତ।

ବାପା ବାସୁଦେବ ବାରିକ ଓ ମା’ କମଳାଦେବୀଙ୍କ ପ୍ରେରଣା ଓ ଉତ୍ସାହକ୍ରମେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ ଶାନ୍ତିଲତା। ବିଭିନ୍ନ ସମୟରେ ସଙ୍ଗୀତ ସୁଧାକର ଗୁରୁ ବାଳକୃଷ୍ଣ ଦାସ, ଗୁରୁ ମାର୍କଣ୍ଡେୟ ମହାପାତ୍ର, ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭକରିବା ସହିତ ସେ ଭୁବନେଶ୍ବସ୍ଥ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ପଢ଼ିଥିଲେ। ଶାନ୍ତିଲତାଙ୍କୁ ପରିଚୟ ଦେଇଥିଲା ଭଜନ ‘ହେ ଚକାଚୟନ…’। ୧୯୭୮ ମସିହାରେ ଏହାର ରେକର୍ଡିଂ ହୋଇଥିଲା। ନଗେନ୍ଦ୍ର ମହାପାତ୍ରଙ୍କ ରଚନା ଓ ବାଳ‌କୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତକୁ ଶାନ୍ତିଲତା ପ୍ରଥମେ ରେଡିଓରେ ଗାଇଥିଲେ। କୋଲକତାର ଏକ ଷ୍ଟୁଡିଓରେ ଗୀତଟି ରେକର୍ଡ ହୋଇଥିଲା। ଭଜନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଶାନ୍ତିଲତାଙ୍କର ଉଦ୍ୟମ ପ୍ରଶଂସନୀୟ। ତାଙ୍କର ଅନେକ ପ୍ରସିଦ୍ଧ ଭଜନ ମଧ୍ୟରେ ରହିଛି ‘ମୋ ପ୍ରଭୁ ଜଗନ୍ନାଥ‘, ‘କାହ୍ନୁ ହେ, ବଂଶୀ କେ ଦେଲା’, ‘ଯମୁନା କୂଳ ନୁହେଁ’, ‘କାଳିଆ ତୋ କଳା କଳା ଡୋଳା’, ‘ହେ ଚକାନୟନ’, ‘ଏକା ମୋ ଜଗା ସବୁରି ମୂଳ’, ‘ମୁଁ ଯେ ଦେଉଳବେଢା ଦୀପ’ ଆଦି।

ଶାନ୍ତିଲତା ଗାଇଥିବା ଅନେକ ଭଜନ ଏବେ ବି ଘରେ ଘରେ ଲୋକପ୍ରିୟ। ପୂର୍ବରୁ ସେ ଅନେକ ଭଜନ କାର୍ଯ୍ୟକ୍ରମରେ ଯୋଗଦେଇ ଭକ୍ତିରସରେ ଶ୍ରୋତାଙ୍କୁ ଭିଜାଉଥିଲେ। କର୍କଟ ରୋଗ ଚିହ୍ନଟ ହେବାପରେ ମଧ୍ୟ ସେ ସଙ୍ଗୀତ ସାଧନା ଛାଡ଼ି ନଥିଲେ। ଚିକିତ୍ସା ଚାଲିଥିବା ସମୟରେ ଗୀତ ଗାଉଥିଲେ। ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ, ପୁଣି ଘରକୁ ଫେରି ସଙ୍ଗୀତ ସାଧନା କରୁଥିଲେ। କିନ୍ତୁ ଶେଷବେଳକୁ ସେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ଗାଇଥିବା ‘ଭଜି ଭଜି ତୋ ନାମ ଚକା ନୟନ…ମୋର ଯାଉ ଜୀବନ…’ ଗୀତଟି ଭଳି ସେ ଆଜି ସେଇ ଚକାନୟନଙ୍କ ପାଖକୁ ଚାଲି ଯାଇଛନ୍ତି ବୋଲି ଅନେକ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ଓଡ଼ିଆ ଭଜନ ପ୍ରତି ବିଶେଷ ଅବଦାନ ପାଇଁ ଶାନ୍ତିଲତାଙ୍କୁ ଈର୍ଷଣୀୟ ଲୋକପ୍ରିୟତା ଓ ପରିଚିତି ସହିତ ଅନେକ ସମ୍ମାନ ଓ ପୁରସ୍କାର ମିଳିଥିଲା, ଯାହା ଭିତରେ ଅଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର।

ସମ୍ବନ୍ଧିତ ଖବର