ରାଉରକେଲା: ଇସ୍ରାଏଲ-ହମାସ ଯୁଦ୍ଧ ଆଜି ତୃତୀୟ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ ଭିତରେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଫସି ରହିଥିବା ଜଣାପଡ଼ିଛି। ତେବେ ଇସ୍ରାଏଲ୍ର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ଜଣ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ବୋଲି ଇସ୍ରାଏଲରେ ଗବେଷଣାରତ ରାଉରକେଲାର ଜଣେ ଛାତ୍ରୀଙ୍କ ସୂଚନାରୁ ଜଣା ପଡ଼ିଛି। ଇସ୍ରାଏଲର ସୀମା ଅଞ୍ଚଳରେ ସଂପ୍ରତି ଯୁଦ୍ଧ ଲାଗି ରହିଥିବାବେଳେ ଅନ୍ୟ ସବୁ ଅଞ୍ଚଳ ଶାନ୍ତ ରହିଛି। ତେବେ ଯୁଦ୍ଧ ଯୋଗୁଁ ଛାତ୍ରଛାତ୍ରୀ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଘରେ ହିଁ ରହୁଛନ୍ତି।
ରାଉରକେଲାସ୍ଥ ଉତ୍କଳମଣି ହୋମିଓପ୍ୟାଥି ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ଡ. ରତ୍ନାକର ପଣ୍ଡାଙ୍କ ଝିଅ ଅର୍ପିତା ପଣ୍ଡା ସଂପ୍ରତି ଇସ୍ରାଏଲର ୱେଷ୍ଟ୍ବ୍ୟାଙ୍କରେ ଅବସ୍ଥିତ ଏରିଏଲ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ ଗବେଷଣା କରୁଛନ୍ତି। ଅର୍ପିତା ଇସ୍ରାଏଲରେ ୨ ବର୍ଷ ୮ ମାସ ରହି ସାରିଲେଣି। ଆଉ ବର୍ଷେ ୪ ମାସ ପରେ ତାଙ୍କ ଗବେଷଣା ଶେଷ ହେବ। ଦଶହରା ଛୁଟି ପାଇଁ ଅକ୍ଟୋବର ୧୬ରେ ଘରକୁ ଆସିବାକୁ ସେ ଟିକଟ୍ କରିଥିଲେ। କିନ୍ତୁ ୧୪ ତାରିଖ ଯାଏ ବିମାନ ସେବା ବନ୍ଦ କରାଯାଇଛି। ତେଣୁ ଏହି ଉଡ଼ାଣ କଟକଣା ୧୪ରେ ଶେଷ ହେବ ନା ଆଗକୁ ପୁଣି ବଢ଼ିବ ସେନେଇ ସେ ନିଶ୍ଚିତ ନୁହନ୍ତି। ଅନ୍ୟ ଛାତ୍ରଛାତ୍ରୀମାନେ ବି ସେମିତି ଟିକଟ୍ କରିଛନ୍ତି। ତେଣୁ ସେମାନେ ଘରକୁ ଆସିପାରିବେ କି ନାହିଁ ସେନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଯୁଦ୍ଧ ଭିତର ଜୀବନ ସଂପର୍କରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଅର୍ପିତା କହିଛନ୍ତି, ‘ମୁଁ ୱେଷ୍ଟବ୍ୟାଙ୍କ୍ ଅଞ୍ଚଳରେ ରହୁଛି। ଏବେସୁଦ୍ଧା ଏ ଅଞ୍ଚଳରେ ଯୁଦ୍ଧର ଚିହ୍ନବର୍ଣ୍ଣ ନାହିଁ। ଇରାନ ଯଦି ପାଲେଷ୍ଟାଇନ୍କୁ ସହଯୋଗ କରି ଯୁଦ୍ଧରେ ସାମିଲ ହେବ, ତାହେଲେ ଏ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇପାରେ। ମୁଁ ପଢ଼ୁଥିବା ବିଶ୍ବବିଦ୍ୟାଳୟରେ ଆଉ ଜଣେ ଓଡ଼ିଆ ଛାତ୍ର ପିଏଚ୍ଡି କରୁଛନ୍ତି। ଯୁଦ୍ଧ ଆରମ୍ଭ ହେବାର ମାତ୍ର ସପ୍ତାହ ପୂର୍ବେ ସେ ଏଠାରେ ଯୋଗ ଦେଇଛନ୍ତି। ଆମେ ଏଠାରେ ସୁରକ୍ଷିତ ଅଛୁ। ଯଦିଓ ଆମ ଅଞ୍ଚଳରେ ଏତେ ବିପଦ ନାହିଁ, ତଥାପି ସତର୍କ ରହିବାକୁ ପଡ଼ୁଛି। ବାହାରକୁ ନ ଯାଇ ରୁମ୍ରେ ହିଁ ରହୁଛୁ। ଯଦି ବାହାରକୁ ଯାଉଛୁ, ଜଲଦି ଚାଲିଆସୁଛୁ।
ଆମେ ରହୁଥିବା ଅଞ୍ଚଳରେ ସମସ୍ତେ ସୁରକ୍ଷିତ
ସାଇରନ୍ ବାଜିଲେ ବଙ୍କରକୁ ଯାଉଛୁ
୨ ସପ୍ତାହ ପାଇଁ ଖାଦ୍ୟ ମହଜୁଦ
ବାହାରେ ଥିବା ସମୟରେ ବିପଦପୂର୍ଣ୍ଣ ସାଇରନ୍ ବାଜିଲେ ବଙ୍କର୍କୁ ଯିବାକୁ ପଡ଼ୁଛି। କେମିତି ବଙ୍କର୍କୁ ଯିବେ, ସେନେଇ ପୂର୍ବରୁ ଆମକୁ ତାଲିମ ଦିଆଯାଇଥିଲା, ଡ୍ରିଲ୍ ବି ହୋଇଥିଲା ବୋଲି କହିଛନ୍ତି। ଖାଦ୍ୟପେୟ ଉପଳବ୍ଧତା ନେଇ କହିଲେ, ଯୁଦ୍ଧ ଆରମ୍ଭ ହେବାପରେ ଆମକୁ ୭୨ ଘଣ୍ଟା ପାଇଁ ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ଆମେ ଦୁଇ ସପ୍ତାହ ପାଇଁ ଖାଦ୍ୟ ଗଚ୍ଛିତ କରି ରଖିଛୁ। ବାକି ସବୁ ସୁବିଧା, ଯଥା-ପାଣି, ବିଜୁଳି, ଇଣ୍ଟରନେଟ ଆଦି ସ୍ବାଭାବିକ ରହିଛି। ଯୁଦ୍ଧ ସମୟରେ ଯେମିତି ଛାତ୍ରଛାତ୍ରୀ ମାନସିକ ଦୁଶ୍ଚିନ୍ତାର ଶିକାର ନ ହୁଅନ୍ତି, ସେଥିପ୍ରତି ଏଠାରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଏହି କ୍ରମରେ ଛାତ୍ରଛାତ୍ରୀଙ୍କ କାଉନସେଲିଂ କରାଯାଉଛି। ଯଦିଓ ଆମେ ରହୁଥିବା ଅଞ୍ଚଳ ଏତେ ପ୍ରଭାବିତ ହୋଇନି, କିନ୍ତୁ ସୀମାବର୍ତ୍ତି ଅଞ୍ଚଳରେ ସ୍ଥିତି ସଙ୍ଗୀନ ରହିଛି। ନିୟମିତ ବ୍ୟବଧାନରେ ରକେଟ୍ ମାଡ଼ ହେଉଛି। ଅବଶ୍ୟ ଆଇରନ ଡୋମ୍ ଯୋଗୁଁ ବିଶେଷ କ୍ଷୟକ୍ଷତି ହେଉ ନାହିଁ। କିନ୍ତୁ ପ୍ରବଳ ଶବ୍ଦ ଯୋଗୁଁ ସେଠାକାର ଲୋକେ ଭୂମିକମ୍ପ ଭଳି ଅନୁଭବ କରୁଛନ୍ତି। ଯେଉଁଦିନ ଆତଙ୍କବାଦୀ ଅନୁପ୍ରବେଶ କଲେ, ସେଦିନ ସୀମାବର୍ତ୍ତୀ ଅଞ୍ଚଳରେ ବହୁ ଧନଜୀବନ କ୍ଷତି ହୋଇଥିଲା। ଭାରତକୁ ଫେରିବା ନେଇ କହିଛନ୍ତି, ନିୟମିତଭାବେ ଭାରତ ସରକାରଙ୍କ ପକ୍ଷରୁ ଆମକୁ ଅବଗତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ଭଳି ଦୁଃସ୍ଥିତି ଉପୁଜି ନାହିଁ। ଆବଶ୍ୟକ ପଡ଼ିଲେ ସମସ୍ତଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦୂତାବାସର ନିର୍ଦ୍ଦେଶକ୍ରମେ ଆମେ ସମସ୍ତ ଅତ୍ୟାବଶ୍ୟକ କାଗଜପତ୍ର ସହ ଗୋଟିଏ ବ୍ୟାଗ୍ ପ୍ରସ୍ତୁତ କରି ରଖିଛୁ। ଜରୁରୀ ପରିସ୍ଥିତିରେ ଉକ୍ତ ବ୍ୟାଗ ନେଇ ବାହାରିବୁ ବୋଲି ନିର୍ଦ୍ଦେଶ ଦିଆଯାଇଛି।