ଅନୁଗୁଳ: ପାଖେଇ ଆସୁଛି ପୂଜା ମାହୋଲ। ବୁଧବାର ଗଣେଶ ପୂଜା ଥିବା ବେଳେ ତା’ ଆଗକୁ ରହିଛି ଅନେକ ଦେବାଦେବୀଙ୍କ ପୂଜା। ଏଥିପାଇଁ ପୂଜା ବଜାର ସରଗରମ ହେଲାଣି। ତେବେ ପୂଜା ସମୟରେ ସବୁଠୁ ବଡ଼ ଚିନ୍ତା ପାଲଟୁଥିବା ଚାନ୍ଦା ସମସ୍ୟାର ସମାଧାନ ପାଇଁ ଏବେ ଆଗକୁ ଆସିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ(ଏସପି) ରାହୁଲ ଜୈନ। ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅନୁଗୁଳ ଏସପି ରାହୁଲ ଜୈନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। 

Advertisment

ଜିଲ୍ଲାର ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇ ବେଆଇନ ଚାନ୍ଦା ଆଦାୟ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ କହିଛନ୍ତି ରାହୁଲ ଜୈନ। ଏହା ସହିତ ବେଆଇନ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଉଛି। ଯଦି କୌଣସି ବ୍ୟକ୍ତି ବେଆଇନ ଚାନ୍ଦା ଆଦାୟ କରୁଥିବାର ଧରା ପଡ଼ନ୍ତି ତେବେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ରାହୁଲ ଜୈନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଲୋକମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, "ଯଦି କେହି ଜୋର୍ ଜବରଦସ୍ତ ଚାନ୍ଦା ମାଗୁଛି, ତେବେ ତୁରନ୍ତ ୧୧୨ରେ କଲ କରନ୍ତୁ। ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।"

ସେହିପରି ତାଳଚେରରେ ଶୃଙ୍ଖଳିତ ଗଣେଶ ପୂଜା ଲାଗି ଅନୁଗୁଳ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏନେଇ ଏସପି ଜୈନ୍ କହିଛନ୍ତି ଯେ, "ଗଣେଶ ପୂଜା ବେଳେ ତାଳଚେରରେ ବରିଷ୍ଠ ଡିଏସପି ଓ ଆଇଆଇସିଙ୍କ ସହ ୮-୧୦ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଆଣ୍ଟି ସ୍ନାଚିଂ ଟିମ୍ ନିୟୋଜିତ କରାଯିବ। ସବୁ ପୂଜା ମଣ୍ଡପରେ ସିସିଟିଭି ଲାଗିବ। ଏଥର ଡିଜେକୁ ଅନୁମତି ଦିଆଯିବନାହିଁ। ଏଥିପାଇଁ ସବୁ ପୂଜା ମଣ୍ଡପକୁ ଏସଓପି ଜାରି କରାଯାଇଛି।"

ସେ ଆହୁରି କହିଛନ୍ତି ଯେ, "ଏପରିକି ପୂଜା ପୂର୍ବରୁ ଓଡ଼ିଶା ପୁଲିସର ଅପରେସନ ଗରୁଡ଼ ଜରିଆରେ ଅପରାଧ ନିରୋଧୀ କାର୍ଯ୍ୟକଳାପ ଅଂଶସ୍ୱରୂପ ୩୦୦ ଏନବିଡବ୍ଲୁ କାର୍ଯ୍ୟକାରୀ କରାଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର ଉପରେ ଚଢ଼ାଉ କରାଯାଇ ୧୧ଟି ଦେଶୀ ବନ୍ଧୁକ ସମେତ ୫ଟି ପିସ୍ତଲ ଓ ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ବେଳେ ୧୬ ଜଣଙ୍କୁ ଗିରଫ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଗାଡ଼ି ଜବତ କରାଯାଇଛି। ବେଆଇନ ମଦ କାରବାର ଉପରେ ଚଢ଼ାଉ କରାଯାଇ ୧୩୫ଟି ମାମଲାରେ ଅଢ଼େଇ ହଜାରରୁ ଉର୍ଦ୍ଧ୍ବ ଲିଟର ମଦ ଜବତ ହୋଇଛି।"