ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳ ଅଭିଭାଷଣ ଦେବାବେଳେ ବ୍ୟାଘାତ ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଉ। ଆଜି ଶୂନ୍ୟ କାଳରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ସଂସଦୀୟ ବ୍ୟ‌ାପାର ମନ୍ତ୍ରୀ ଯେଉଁ ସଂସଦ ପରିଚାଳନା ଓ ପଦ୍ଧତ୍ତି ବହି ପଢ଼ିକି କହିଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଉ, ସେଥିରେ କେଉଁଠି ବି ଉଲ୍ଲେଖ ନାହିଁ ଯେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କଲେ ଗିରଫ କରାଯିବ। ତେଣୁ ଏହାକୁ ବିଧାନସଭା ପ୍ରୋସିଡିଂରୁ ପ୍ରତ୍ୟାହାର କରାଯାଉ। ମନ୍ତ୍ରୀ ଯଦି ଭାବପ୍ରବଣ ହୋଇ ଗିରଫ ଶବ୍ଦ କହିଛନ୍ତି ତାକୁ ସେ ପ୍ରତ୍ୟାହାର କରିନିଅନ୍ତୁ। ଏହା ନକଲେ ଭୁଲ୍ ପରମ୍ପରା ସୃଷ୍ଟି ହେବ। ନଚେତ ଯଦି ସାହାସ ଅଛି ନବୀନ ପଟ୍ଟନାୟକଙ୍କୁ ଗିରଫ କର। ଏହାର ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଦଳ ନେତା ବ୍ୟାଘାତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ମୋର ଉଦ୍ଦେଶ୍ୟ କିଛି ଖରାପ ନଥିଲା। ଗିରଫ କୌଣସି ଅସାମ୍ବିଧାନିକ ଶବ୍ଦ ନୁହେଁ। ଏହା ଆପଣଙ୍କ ବିଚାର ପାଇଁ ରଖାଯାଇଥିଲା, କାହାର ଅସମ୍ମାନ ପାଇଁ କୁହାଯାଇ ନଥିଲା। ଏଥିପାଇଁ ଏକ କମିଟି ଗଠନ କରିବା କଥା। ଏନେଇ ମୁଁ ପୂର୍ବରୁ କହିଛି।

Advertisment

ଏହାସହ ସେ କହିଥିଲେ ଯେ ଯେତେବେଳେ ଆପଣଙ୍କ ସରକାର ଥିଲା ସେତେବେଳେ କିପରି ଆମ ବିରୋଧୀ ଦଳ ନେତାଙ୍କୁ ପାଗଳ, ରାଞ୍ଚି ପଠାଯିବ ବୋଲି କହୁଥିଲ। ଏଥିପାଇଁ ତ ଦୁଃଖପ୍ରକାଶ କରାଯାଇନଥିଲା। ଅପରାହ୍ନରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୁଣି ଏହି ପ୍ରସଙ୍ଗ ଉଠାଇ କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଦଳ ନେତା ବ୍ୟାଘାତ ସୃଷ୍ଟି କଲେ ବୋଲି ତାଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହୁଛନ୍ତି। ୨୦୨୧-୨୨ରେ ତତ୍‌କାଳୀନ ରାଜ୍ୟପାଳ ଅଭିଭାଷଣ ରଖୁଥିଲା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀ ଦଳରେ ଥାଇ କିପରି ବିରୋଧ ପ୍ରଦର୍ଶନ କରିଥିଲେ ତାହା ମନେ ପକାନ୍ତୁ। ଗିରଫ ଶବ୍ଦକୁ ଗୃହର ବିବରଣୀରୁ ବାଦ୍ ଦିଆଯାଉ। ଏହା ପ୍ରଯୁଜ୍ୟ ନୁହେଁ। ବାଚସ୍ପତି ଏହା ଉପରେ ରୁଲିଂ ଦିଅନ୍ତୁ। ବାଚସ୍ପତି କହିଥିଲେ, ମୁଁ ଏହା ଉପରେ ବିଚାର କରି କହିବି।