ଟିଟିଲାଗଡ଼: ନକଲି ଆଦିବାସୀ ପ୍ରସଙ୍ଗ ସହିତ ଅନ୍ୟ ସମସ୍ୟା ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଟିଟିଲାଗଡ଼ରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ଏକ ଦଶଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟେରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି।
ବ୍ଲକ୍ ଆଦିବାସୀ କଲ୍ୟାଣ ସଂଘ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବାଦ୍ୟ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପରେ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ନକଲି ଆଦିବାସୀମାନଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା, ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ସମସ୍ତ ବିଭାଗର ମୁଖ୍ୟ ଡାକ୍ତର ପଦ ଖାଲି ପଡ଼ିଥିବାରୁ ତୁରନ୍ତ ସେଗୁଡ଼ିକ ପୂରଣ କରିବା, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବା ଆଦି ଦଶ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲେ। ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ବନଳତା ମାଝୀ, ବରିଷ୍ଠ ଆଦିବାସୀ ନେତା ବାଳକୃଷ୍ଣ ଶବର, ପଦ୍ମନ ପ୍ରାଧନୀ, ହେମେନ୍ଦ୍ର ହାଂସଦା, ଚିନ୍ତାମଣି ମାଝୀ, ଚୈତନ୍ୟ ମାଝୀ, ସୁନୀଲ ମାଝୀ, ଥବିର ପୁଝାରୀ, ଘାସିରାମ ମାଝୀ, ମାହେଶ୍ୱରୀ ମାଝୀ, ପୃଥ୍ୱୀରାଜ ମାଝୀ, ଇନ୍ଦ୍ରମଣି ମାଝୀ, ଭୁବନ ମାଝୀ ପ୍ରମୁଖ ଯୋଗଦେଇଥିଲେ।