ଓମ୍‌ଙ୍କୁ ଧରିବା ଲାଗି ତନାଘନା, କୋର୍ଟରେ ଜଗିଲେ ପୁଲିସ୍‌ ଅଫିସର

ସବୁ ଥାନାକୁ ଜାରି ହେଲା ନୋଟିସ୍‌, ଷ୍ଟେସନ, ବିମାନ ବନ୍ଦରରେ ଲାଗିଲା ଫଟୋ

ପୁରୀ: ସୂଚନା ମିଳିଥିଲା ଯେ ବୁଥ ଭିତରେ ଭଙ୍ଗରୁଜା କରି ଫେରାର ଥିବା ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିବେ। ତାଙ୍କୁ ଧରିବା ଲାଗି କୋର୍ଟ ପାଖରେ ପୁଲିସ ଜଗି ରହିଥିଲା। କିନ୍ତୁ ସେ ଆସି‌େଲ ନାହିଁ। ଶେଷରେ ପୁଲିସ ଓମ୍‌ଙ୍କ ବିରୋଧରେ ରାଜ୍ୟର ସବୁ ଥାନାକୁ ନୋଟିସ୍‌ ଜାରି କରିଛି। ତାଙ୍କ ଫଟୋ ରେଳ ଷ୍ଟେସନ, ବିମାନ ବନ୍ଦରରେ ବି ଲଗାଇ ଦିଆଯାଇଛି। ସବୁଠି ସତର୍କ ନଜର ରଖିଛି ପୁଲିସ। ନିର୍ବାଚନରେ ବାଧା ଦେବା, ଇଭିଏମ୍‌ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ପିଟିବା ଘଟଣାରେ ଅଭିଯୁକ୍ତ ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଧରିବା ଲାଗି ଜାଲ ବିଛାଇଛି ପୁଲିସ। ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ପୁଲିସ୍‌ ଟାର୍ଗେଟ୍‌ରେ ବିଜେପିର କିଛି ପୁରୁଖା ନେତାଙ୍କ ଘର ବି ରହିଛି। ତେବେ ନିର୍ବାଚନ ସରିନଥିବାରୁ ବିଜେପି ପାଇଁ ଏହା ପ୍ରତିକୂଳ ସ୍ଥିତି ସୃଷ୍ଟି କରିପାରେ ବୋଲି କେତେକ ନେତା କହିବା ପରେ ବୁଧବାର ରାତିରେ ବିଜେପିର ଜଣେ କେନ୍ଦ୍ର ମନ୍ତ୍ରୀ ଛାମୁଆ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କଥାବାର୍ତ୍ତା ପରେ ଆଜି ଓମ୍‌ପ୍ରକାଶ ଆତ୍ମସମର୍ପଣ କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। ଆଜି କଣାସରୁ ଅନୂନ୍ୟ ୨ ହଜାର ମଟର ସାଇକେଲ ଶୋଭାଯାତ୍ରାରେ ଓମ୍‌ ପ୍ରକାଶ ଯାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବାକୁ ଯୋଜନା ହୋଇଥିଲା। ଏହା ପରେ ଘଟଣା ସମ୍ପର୍କରେ ଓମ୍‌ ପ୍ରକାଶ ଗଣମାଧ୍ୟମ ଆଗରେ ନିଜର ପକ୍ଷ ରଖିଥାନ୍ତେ। ଏହି ଯୋଜନା ପାଇଁ ଦଳୀୟ କର୍ମୀ ପ୍ରସ୍ତୁତ ହେଉଥିବା ବେଳେ କେନ୍ଦ୍ର ସ୍ତରରେ ପ୍ରଭାବ ରଖିଥିବା ଜଣେ ନେତା ତଥା ଏମ୍‌ପି ପ୍ରାର୍ଥୀ ଏଥିରେ ସହମତ ହେଲେ ନାହିଁ। ଓମ୍‌ ଆତ୍ମସମର୍ପଣ କଲେ, ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିପାରେ। ତେଣୁ ୨୯ ତାରିଖ ପର୍ଯ୍ୟନ୍ତ ଆତ୍ମସମର୍ପଣକୁ ଘୁଞ୍ଚାଇ ଦେବାକୁ ପରାମର୍ଶ ‌ଦେଇଥିଲେ।

ସମ୍ବନ୍ଧିତ ଖବର