ନାବାଳିକାକୁ ଅସଦାଚରଣ କରି ପୁଲିସ ବାବୁ ଗିରଫ

ସାଲେପୁର: ୫୫ ବର୍ଷ ବୟସ୍କ ଜଣେ ପୁଲିସ ବାବୁ ଅସଦାଚରଣ କରିଛନ୍ତି ଜଣେ ୧୧ ବର୍ଷର ନାବାଳିକାକୁ। ଯାହା କାନ୍ଧରେ ମହିିଳାଙ୍କୁ ସୁରକ୍ଷା ଦେବାର ଗୁରୁଦାୟିତ୍ୱ ରହିଛି, ସେ ଏଭଳି କୁତ୍ସିତ କାଣ୍ଡ କରିବା ଘଟଣା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଏଭଳି ସଂଗୀନ ଅଭିଯୋଗରେ ସଂପୃକ୍ତ ଥିବା ଅଭିଯୋଗରେ ବାଦାମବାଡ଼ି ଥାନା ଏଏସ୍‌ଆଇ କୃଷ୍ଣଚନ୍ଦ୍ର ଜେନାଙ୍କୁ ସାଲେପୁର ଥାନା ପୁଲିସ୍‌ ଗିରଫ କରି ଆଜି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ଜେନାଙ୍କୁ ଶିଶୁଆ ସବ୍‌-ଜେଲ୍‌କୁ ପଠାଇଦିଆଯାଇଛି। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଲେପୁରର କୁଅାଁପାଳ ରୋଡ୍‌ରେ ହୋଟେଲ୍‌ ବ୍ୟବସାୟ କରୁଥିବା ମାହାଙ୍ଗା ଥାନା ଅନ୍ତର୍ଗତ ଘିଁସୁଆ ଅଞ୍ଚଳର ଜଣେ ବ୍ୟକ୍ତି ନିଶ୍ଚିନ୍ତକୋଇଲି ଅଞ୍ଚଳର ଏକ ପବ୍ଳିକ ସ୍କୁଲରେ ଶିକ୍ଷକତା କରୁଥିବା ପତ୍ନୀଙ୍କ ସହିତ ୫ବର୍ଷ ହେଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ରୋଡରେ କୈଳାସ ଚନ୍ଦ୍ର ଜେନାଙ୍କ ଘରେ ଭଡାରେ ରହୁଛନ୍ତି। ଗତ ୩ ତାରିଖ ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ନିଜ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଘରେ ନାବାଳିକା ଝିଅ ଘରେ ଏକୁଟିଆ ରହି ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିଲେ। ସେହି ସମୟରେ ନାବାଳିକାକୁ ଏକୁଟିଆ ପାଇ ଘର ମାଲିକ କୈଳାସ ଚନ୍ଦ୍ର ଜେନାଙ୍କ ବଡ଼ପୁଅ ତଥା କଟକ ବାଦାମବାଡ଼ି ଥାନାର ଏଏସ୍‌ଆଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ହୋଟେଲ୍‌ରେ ଥିବା ତାଙ୍କ ବାପାଙ୍କ ପାଖକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲା। ନାବାଳିକାର ମା’ ସ୍କୁଲରୁ ଫେରିଲା ପରେ ସେମାନେ ଏ ସଂପର୍କରେ ଘର ମାଲିକଙ୍କ ସାନପୁଅକୁ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିଥିଲା। ଏଭଳି ସ୍ଥିତିରେ ନାବାଳିକାର ବାପା-ମା’ ଗଲା ୪ ତାରିଖ ଦିନ ଘଟଣା ସଂପର୍କରେ ସାଲେପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ସାଲେପୁର ଥାନା ପୁଲିସ୍‌ (କେସ୍‌ ନଂ ୩୭/୧୮) ଏକ ମାମଲା ରୁଜୁ କରି ଅଭିଯୁକ୍ତ ଏଏସ୍‌ଆଇ କୃଷ୍ଣଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି। ତାଙ୍କ ବିରୋଧରେ ନାବାଳିକା ଯୌନନିରୋଧ ନିରାକରଣ ଅପରାଧ ଆଇନରେ ମାମଲା ରୁଜୁ କରାଯାଇଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଶିଶୁଆ ସବ୍‌-ଜେଲକୁ ତାଙ୍କୁ ପଠାଇଦିଆଯାଇଥିବା ଆଇଆଇସି. ପ୍ରଶାନ୍ତ କୁମାର ମାଝି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର