ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା

କଟକ : ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୋଧରେ ହାଇକୋର୍ଟ ଆଜି ଜାମିନଯୋଗ୍ୟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ଆଜି ଏଫ୍‌.ମାଝିଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଥାନା ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଥାନା ଅଧିକାରୀଙ୍କୁ ହାଜର କରିବା ପାଇଁ ସୁନ୍ଦରଗଡ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗିରଫ ହୋଇ ଜେଲ୍‌ରେ ଥିବା ଆବେଦନକାରୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାମିନ ଆବେଦନର ଶୁଣାଣି କରି କେସ୍‌ ଡାଏରି ଦାଖଲ ସହ ତଦନ୍ତର ସାନି ସ୍ଥତି ନେଇ ଅବଗତ କରିବା ପାଇଁ ରାଜଗଙ୍ଗପୁର ଥାନା ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କିନ୍ତୁ ଥାନା ଅଧିକାରୀଙ୍କ ପକ୍ଷରୁ କେସ୍‌ ଡାଏରି ଦାଖଲ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଥାନା ଅଧିକାରୀଙ୍କୁ ହାଜର ହେବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାମଲାର ଶୁଣାଣି ସମୟରେ ଥାନା ଅଧିକାରୀ ହାଜର ହୋଇ ନଥିଲେ। ବଦଳରେ ଥାନାର ଅନ୍ୟ ଜଣେ ଅଧିକାରୀ ହାଜର ହୋଇଥିଲେ।

ସମ୍ବନ୍ଧିତ ଖବର