ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ବଢ଼ିଲା, ପୁଣି ମିଳିଲା ୭ଏକର ଜମି, ମାର୍କେଟ କମ୍ପ୍ଲେକ୍ସ

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ଇଂ. ବିନୋଦ କୁମାର ପାଢ଼ୀଙ୍କ ସମ୍ପତ୍ତି ତାଲିକା ବଢ଼ିଛି। କଟକ ଭିଜିଲାନ୍ସ ବିଭାଗର ତଦନ୍ତ ପରେ ଇଂ. ପାଢ଼ୀଙ୍କ ନାମରେ ଆହୁରି ୭ଏକର ଜମି ଏବଂ ମାର୍କେଟ କମ୍ପ୍ଲେକ୍ସ ରହିଥିବା ଜଣାପଡ଼ିଛି। ଯାହାର ମୂଲ୍ୟ ୮ଲକ୍ଷ ୪୬ହଜାର ୪୬୪ଟଙ୍କା ହୋଇଥିବା ଭିଜିଲାନ୍ସ ବିଭାଗ ହିସାବ କରିଛି। ଫଳରେ ଇଂ. ପାଢ଼ୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ୩କୋଟି ୮୭ଲକ୍ଷ ୪୬ହଜାର ୯୮୯ଟଙ୍କାରୁ ବୃଦ୍ଧି ହୋଇ ୩କୋଟି ୯୫ଲକ୍ଷ ୯୯ହଜାର ୪୫୩ଟଙ୍କା ହୋଇଛି। ଇଂ. ପାଢ଼ୀଙ୍କ ନାମରେ ପୁରୁଷୋତ୍ତମପୁର, ଭଞ୍ଜନଗର ଓ ଛତ୍ରପୁର ତହସିଲ ଅଞ୍ଚଳରେ ୭ଏକର ଜମି ରହିଥିବା ବେଳେ ଗଞ୍ଜାମ ତ୍ରିବେଣୀ ମଠ ଛକରେ ମାର୍କେଟ କମ୍ପ୍ଲେକ୍ସ ରହିଛି।

ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି. ମାୟାଧର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଗତ ୩ତାରିଖରେ ଇଂ. ପାଢ଼ୀଙ୍କ ଅଫିସ୍‌ ସମେତ ୧୨ଟି ସ୍ଥାନରେ ଚଢ଼ଉ କରି ଯାଞ୍ଚ କରାଯାଇଥିଲା। ଦୁଇଦିନ ଧରି ଯାଞ୍ଚ କରିବା ପରେ ଇଂ. ପାଢ଼ୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୫କୋଟି ୧୨ଲକ୍ଷ ୯୭ହଜାର ୯୬୩ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରସ୍ତୁତ ହୋଇଥିଲା। ଚୂଡ଼ାନ୍ତ ହିସାବରେ ସମ୍ପତ୍ତି ତାଲିକା ୪କୋଟି ୯୩ଲକ୍ଷ ୪୪ହଜାର ୭୦୬ଟଙ୍କା ରହିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର