କୋର୍ଟରେ ଅସୁସ୍ଥ ହେଲେ ନିର୍ବାଚନରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଗିରଫ ସରପଞ୍ଚ ପ୍ରାର୍ଥୀ

ଯାଜପୁରଟାଉନ/ସଦର : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ‌୍ରରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଯାଜପୁର ପୁଲିସ ୧୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଜଣେ ସରପଞ୍ଚ ପ୍ରାର୍ଥୀ ଅଛନ୍ତି। ଯାଜପୁର ସଦର ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅବଶିଷ୍ଟ ୧୨ ଜଣଙ୍କୁ ଧର୍ମଶାଳା ପୁଲିସ ଗିରଫ କରିଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି।

ଗତକାଲି ନିର୍ବାଚନ ସମୟରେ ଯାଜପୁର ସଦର ଥାନା ଅଧୀନ ୬/୭ଟି ପଞ୍ଚାୟତରେ ନିର୍ବାଚନୀ ହିଂସା ସୃଷ୍ଟି ହୋଇଥିଲା। ବୋମାମାଡ଼, ପୁଲିସ ଗାଡ଼ି ଭଙ୍ଗାରୁଜା, ପୁଲିସକୁ ମାଡ଼ ଓ ବୁଥ୍‌ ଜବରଦଖଲ ପରି ଘଟଣା ଘଟିଥିଲା। ଏହି ଘଟଣା ପରେ ସଦର ଥାନାରେ ବୁଥ୍‌ ଜବରଦଖଲକୁ ନେଇ ୫ଟି ଅଭିଯୋଗ ହୋଇଥିବାବେଳେ ୧୨ଟି ରାଜନୈତିକ ହିଂସା ଘଟିଥିବା ଅଭିଯୋଗ ହୋଇଛି।

ଗତକାଲି ରୁଦ୍ରପୁର ଗ୍ରାମର ୫ନଂ ବୁଥ୍‌କୁ ଅଭିଯୁକ୍ତମାନେ ଜବରଦଖଲ କରିନେଇଥିଲେ। ସରପଞ୍ଚ ପ୍ରାର୍ଥୀ କରୁଣାକର ଆଚାର୍ଯ୍ୟ, ନିଜ ପରିବାର ସଦସ୍ୟ, ପୁଅ ଓ ଝିଅଙ୍କ ସହଯୋଗରେ ବାଲାଟ ପେପର ଛଡ଼ାଇନେଇ ନିଜେନିଜେ ଭୋଟ ଦେଇ ଜବରଦସ୍ତ ବାଲାଟ ବାକ୍ସରେ ପକାଇଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ସଦର ପୁଲିସ ଏହି ଘଟଣାରେ କରୁଣାକର ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀ ମଣିନାଥ ସାହୁଙ୍କୁ  ଗିରଫ କରିଛି। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ଶୁଣି ଅଭିଯୁକ୍ତ କରୁଣାକର କୋର୍ଟ ପରିସରରେ ଚେତାଶୂନୢ ହୋଇ ପଡ଼ିଥିଲେ। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏପରି ଘଟଣାରେ ଆଜି  ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି। ନିର୍ବାଚନରେ କୌଣସି ହିଂସାକୁ ବରଦାସ୍ତ କରାଯିବ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

ଜେଲ୍‌ ଭୟରେ ଅସୁସ୍ଥ ହେବାର ଅଭିନୟ!
ଭୋଟ୍‌ ଗ୍ରହଣ କେନ୍ଦ୍ର ଜବରଦଖଲ କରି ଚର୍ଚ୍ଚାରେ ଯାଜପୁର ବ୍ଲକ ଉପାଧ୍ୟକ୍ଷା ପ୍ରଣତି ଆଚାର୍ଯ୍ୟଙ୍କ ସ୍ବାମୀ କରୁଣାକର ଆଚାର୍ଯ୍ୟ। ଗତ ନିର୍ବାଚନରେ ପତ୍ନୀ ପ୍ରଣତି ରୁଦ୍ରପୁର ପଞ୍ଚାୟତରୁ ସମିତିସଭ୍ୟା ଭାବେ ବିଜୟୀ ହୋଇ ଯାଜପୁର ବ୍ଲକର ଉପାଧ୍ୟକ୍ଷ ହୋଇଥିଲେ। ଚଳିତ ନିର୍ବାଚନରେ ତାଙ୍କ ସ୍ବାମୀ କରୁଣାକର ଆଚାର୍ଯ୍ୟ ରୁଦ୍ରପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ସମୟରେ ପଞ୍ଚାୟତର ୫ ନଂ ବୁଥ୍‌ରେ ନିଜ‌େ ଉପସ୍ଥିତ ରହି ଦୁଇ ପୁଅଝିଅ ଓ ଅନ୍ୟ ସହଯୋଗୀଙ୍କ ଜରିଆରେ ଜବରଦଖଲ କରି ପୁଳାପୁଳା ବାଲାଟ ପେପର ନେଇ ଭୋଟ ବାକ୍ସରେ ପକାଇଥିଲେ। ଉପସ୍ଥିତ ପୁଲିସ କର୍ମଚାରୀ ଓ ପୁଲିଂ ଅଧିକାରୀଙ୍କୁ ଭୟଭୀତ କରାଇଥିଲେ। ଯାଜପୁର ଏସପିଙ୍କ ନିର୍ଦେଶକ୍ରମେ ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ର ଏନେଇ କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବା ପରେ କରୁଣାକର କୋର୍ଟରେ ଚେତା ହରାଇ ପଡ଼ିଥିଲେ। ପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପୁଲିସ ନଜରରେ ରଖାଯାଇଛି। ଗତକାଲି ‌ବୁଥ୍‌ରେ ଦବଙ୍ଗଗିରି କରୁଥିବା ପ୍ରାର୍ଥୀ ଆଜି ଡାକ୍ତରଖାନାରେ ପଡ଼ିରହିବାର ଚିତ୍ର ସୁପରିକଳ୍ପିତ ବୋଲି ଆଲୋଚନା ହେଉଛି। ତାଙ୍କ ସହ ଥିବା ଅନ୍ୟ ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର