ବ୍ରହ୍ମଗିରି : ନୀଳାମ୍ବୁ ଚିଲିକାରେ ଅକ୍‌ଟୋବର ପ୍ରଥମ ସପ୍ତାହ ବେଳକୁ ବିଦେଶାଗତ ଅତିଥି ପକ୍ଷୀ ଚକ୍କର କାଟିବା କଥା। କିନ୍ତୁ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି। କାରଣ ମୌସୁମୀ ଫେରିବାରେ ବିଳମ୍ବ ହେଲେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ପାଇଁ ବାତାବରଣ ଅନୁକୂଳ ହେବ ନାହିଁ। ପାଣିପାଗ ପୂର୍ବାନୁମାନ ଯାହା, ଅକ୍‌ଟୋବର ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଲଘୁଚାପ ଜାରି ରହିବ। ତେଣୁ ଲଘୁଚାପଜନିତ ବର୍ଷା ଓ ତାହା ପ୍ରଭାବରେ ଚିଲିକା ତାପମାତ୍ରା ବିଦେଶୀ ପକ୍ଷୀଙ୍କ ଆଗମନକୁ ପ୍ରଭାବିତ କରିପାରେ ବୋଲି ସ୍ଥାନୀୟ ପକ୍ଷୀ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

Advertisment

publive-image

ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀ ଆସି ନାହାନ୍ତି। ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣରେ ବର୍ଷ ତମାମ ରହିଥିବା କିଛି ପ୍ରଜାତିର ବିଦେଶୀ ଅତିଥି ପକ୍ଷୀ ଚିଲିକା ଉପକୂଳ ଇଲାକାରେ ଦେଖିବାକୁ ମିଳୁଛନ୍ତି। ମାତ୍ର ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ବିଦେଶୀ ଅତିଥି ପକ୍ଷୀଙ୍କ ଆସିବାର ସୂଚନା ମିଳୁ ନାହିଁ। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା କିଛି ଦିନ ହେଲାଣି ଜାରି ରହିଛି। ବର୍ଷା ପ୍ରଭାବରୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଆଗମନରେ ବିଳମ୍ବ ହେଉଥିବାବେଳେ ଅନ୍ୟପଟେ ଏବେ ଶୀତର ସାମାନ୍ୟ ପ୍ରଭାବ ଅନୁଭୂତ ହୋଇ ନାହିଁ। ଚିଲିକା ବାୟୁମଣ୍ଡଳରେ ଦିନର ତାପମାତ୍ରା ୩୨ ଡିଗ୍ରି ଉପରେ ରହୁଛି। ଚିଲିକାର ଆଭ୍ୟନ୍ତରୀଣ ତାପମାତ୍ରା ୩୫ ଡିଗ୍ରି ଉପରେ ରହୁଛି। ପାଗ ଶୁଖିଲା ରହିବା ସହିତ ତାପମାତ୍ରା କମିବା ପରେ ବିଦେଶୀ ଅତିଥି ପକ୍ଷୀ ଆସିବାର ସମ୍ଭାବନା ଦେଖାଯିବ ବୋଲି ପରିବେଶବିତ କାଶୀନାଥ ନାୟକ କହିଛନ୍ତି।

ଅନ୍ୟପଟେ ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ୱାଇଲ୍‌ଡ ଲାଇଫ୍‌ ଡିଭିଜନ୍‌ ପକ୍ଷରୁ ଏବେଠାରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଜଳ ଓ ସ୍ଥଳଭାଗରେ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ଡିଭିଜନ୍‌ର ୫ଟି ରେଞ୍ଜରେ ସ୍ବତନ୍ତ୍ର ପକ୍ଷୀ ସୁରକ୍ଷା କ୍ୟାମ୍ପ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଛି। ୨୦ଟି କ୍ୟାମ୍ପରେ ୬୬ ଜଣ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇ ସାରିଛନ୍ତି।