କେନ୍ଦୁଝର: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କଳାକୃତିରେ ନିର୍ମାଣ ହେବ ପାର୍କ। ଏଠାରେ ରହିବନି ଫୁଲକୁଣ୍ଡ କି ଫୁଲବଗିଚା। ଅବ୍ୟବହୃତ ସାମଗ୍ରୀ, ପୁରୁଣା ଟାୟାର, ବ୍ୟବହାର ଅନୁପଯୋଗୀ ଲୁହା ସାମଗ୍ରୀ, ଅବ୍ୟବହୃତ ସାଇକଲ, ମୋଟର ସାଇକଲର ଉପକରଣ ସମେତ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ କଳାକୃତି ନିର୍ମାଣ କରି ଏହି ପାର୍କରେ ରଖାଯିବ। ଏହାର ନାଁ ରହିବ ‘୩ ଆର୍’ ପାର୍କ। ରିଡ୍ୟୁସ୍, ରିୟୁଜ୍, ରିସାଇକେଲର ବାର୍ତ୍ତା ବହନ କରିବ ଏହି କଳାକୃତି।
କେନ୍ଦୁଝରଗଡ଼ ପୌରପାଳିକାର ବିଭିନ୍ନ ଛକ ଓ ବସ୍ଷ୍ଟପ୍ରେ ଇକୋ ପାର୍କ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୌରପାଳିକା ପକ୍ଷରୁ ସରକାରୀ ସ୍ଥାନ ଚିହ୍ନଟ କରାଯାଇ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ବିଭିନ୍ନ ସ୍ଥାନରେ ଥିବା ପାର୍କ, କରଞ୍ଜିଆ ବସ୍ଷ୍ଟପ, ତେଲକୋଇ ବସ୍ଷ୍ଟପ, ସରକାରୀ ମହିଳା ମହାବିଦ୍ୟାଳୟଠାରୁ ଲାବଣ୍ୟଛକ, କଟକ-ଭୁବନେଶ୍ୱର ବସ୍ଷ୍ଟପ ସମେତ ବିଭିନ୍ନ ଛକ ସ୍ଥାନରେ ଇକୋ ପାର୍କ ନିର୍ମାଣ କରାଯିବ ବୋଲି କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ ପ୍ରକାଶ କରିଛନ୍ତି। ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ହାତୀ, ଭାଲୁ, ସିଂହ, ହରିଣ, ମାଙ୍କଡ଼, ଜେବ୍ରା, ଡାଇନୋସର, ଓଟ, ଘୋଡ଼ା, ଫୁଲ, ମାଛ, ମୟୂର, ବାଦ୍ୟଯନ୍ତ୍ର ଏବଂ ଆଦିବାସୀ ସଂସ୍କୃତି, ଖାଦ୍ୟ, ନୃତ୍ୟ, ବାଦ୍ୟ ସ୍ଥାନିତ କରାଯିବା ସହ ଲୋକଙ୍କ ବସିବା ପାଇଁ ବେଞ୍ଚ ତିଆରି କରାଯିବ। ପିଲାଙ୍କ ନିମନ୍ତେ ଖେଳ ଉପକରଣ ମଧ୍ୟ ଏଥିରୁ ପ୍ରସ୍ତୁତ କରି ସ୍ଥାପନ କରାଯିବ। ଏହା ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପିଲାଙ୍କ ସୃଜନଶୀଳତାରେ ସହାୟକ ହେବ।
ଭୁବନେଶ୍ୱରର ଇକୋ ମାଟ୍ରିକ୍ ସଂସ୍ଥା ଏହି କାର୍ଯ୍ୟାଦେଶ ପାଇଥିବାବେଳେ ଏହାକୁ ସରକାରୀ ଆଇଟିଆଇ, ପଲିଟେକ୍ନିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିବେ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏପରି ଯୋଜନା କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ‘ୱେଷ୍ଟ ଟୁ ୱେଲ୍’ ସଚେତନତାକୁ ଆଧାର କରି ଏହି ନିଷ୍ପତ୍ତି ହୋଇଛି। ବିଭିନ୍ନ ସ୍ଥାନରେ ବିଷୟ ଆଧାରିତ ସର୍ବସାଧାରଣ ସ୍ଥାନ ନିର୍ମାଣ କରାଯିବ, ଯାହା ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ନିର୍ବାହୀ ଅଧିକାରୀଙ୍କ କହିବା କଥା, ଯେଉଁ କଳାକାର ଏହି କାର୍ଯ୍ୟରେ ସହଯୋଗ କରିବେ, ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିବ। ଇଣ୍ଟରନାଲ୍ ରେଭିନ୍ୟୁ ଜେନେରେସନ୍ (ଆଇଆର୍ଜି) ମଡେଲ୍କୁ ଆଧାର କରି କଳାକୃତି ନିର୍ମାଣ ହେବ। ଉଭୟ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ ଓ ନଗର ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କରାଯିବ। ଉଭୟ ବିଭାଗରୁ ଚୟନ କରାଯାଇଥିବା ନୋଡାଲ୍ ଅଫିସରମାନେ ଏହି କାର୍ଯ୍ୟ ତଦାରଖ କରିବେ।