ପରିବେଶବିତ୍‌ ଆର୍ତ୍ତବନ୍ଧୁ ମିଶ୍ରଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଇଫ୍‌ ସାଇନ୍ସ ବିଭାଗର ଅବସରପ୍ରାପ୍ତ ରିଡର ତଥା ବିଶିଷ୍ଟ ପରିବେଶବିତ ଆର୍ତ୍ତବନ୍ଧୁ ମିଶ୍ର (୭୨)ଙ୍କ ପରଲୋକ ହୋଇ ଯାଇଛି। ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବାସନ୍ତୀ ମିଶ୍ର ଏବଂ ୨ ପୁଅ ଜ‌ନ୍ମେଜୟ ଏବଂ ଜ୍ଞାନରଂଜନ ଉପସ୍ଥିତ ଥିଲେ। ଗତ ବର୍ଷ ସ୍ବର୍ଗତ ମିଶ୍ରଙ୍କ ବଡ଼ ପୁଅ ମୃତ୍ୟୁଞ୍ଜୟଙ୍କ ହୃଦଘାତରେ ଦେହାନ୍ତ ପରେ ସେ ଭାଙ୍ଗି ଯାଇଥିଲେ। ଆର୍ତ୍ତବନ୍ଧୁ ମିଶ୍ରଙ୍କ ପରଲୋକର ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ରାଜଘାଟରେ ତାଙ୍କର ଅନ୍ତେଷ୍ଟିକ୍ରିୟା ହୋଇଥିଲା।

କଟକ ଜିଲ୍ଲା ଆଠଗଡ଼ରେ ଜନ୍ମିତ ଆର୍ତ୍ତବନ୍ଧୁ ମିଶ୍ର ୧୯୭୫ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଇଫ୍‌ ସାଇନ୍ସ ବିଭାଗରେ ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଏଠାରେ ରହି ଯାଇଥିଲେ। ଅଧ୍ୟାପନା ସହିତ ଗବେଷଣା ତାଙ୍କ କାର୍ଯ୍ୟଧାରାର ମୁଖ୍ୟ ଅଂଶ ଥିଲା। ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବାଲ୍‌କୋ ବିରୋଧୀ ଆନ୍ଦୋଳନର ସେ ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟରେ ସହଯୋଗ କରିଥିଲେ। ୧୯୮୩-୮୬ ମସିହା ମଧ୍ୟରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ କମିଟିର ସଦସ୍ୟ ଥିଲେ। ଏଥିସହିତ ଇଣ୍ଡୋ ଗ୍ଲୋବାଲ ସୋସାଇଟି, ଇଣ୍ଡିଆନ ରିଭର ନେଟଓ୍ବାର୍ଡ ଏବଂ ଜଳ ଜୀବନ ଅଭିଯାନ ସହିତ ସଂପୃକ୍ତ ରହିଥିଲେ। ଅବସର ପରେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଗବେଷଣା ସହିତ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର