ଛତ୍ରପୁର : ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ୍ ଠକେଇ ମୁଖ୍ୟ ମାମଲା ଛତ୍ରପୁର ଏସଜେଡିଏମ୍ କୋର୍ଟରୁ ବ୍ରହ୍ମପୁର ସିଜେଏମ୍ କୋର୍ଟକୁ ସ୍ଥାନାନ୍ତର ହୋଇଛି।
ଉକ୍ତ ସଂସ୍ଥାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଓ ସହଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ଉପସ୍ଥିତିରେ ଏସଡିଜେଏମ୍ ଏହାର ଶୁଣାଣି କରିଥିଲେ। ସେ କହିଥିଲେ , ଉକ୍ତ ମାମଲାଟି ଆଇପିସିର ଧାରା ୪୨୦, ୪୬୮, ୪୭୧, ୧୨୦ (ବି) ତଥା ପ୍ରାଇଜ୍ ଚିଟସ୍ ଆଣ୍ଡ ମନି ସର୍କୁଲେସନ୍ ସ୍କିମସ୍ (ବ୍ୟାନିଂ) ଆକ୍ଟ, ୧୯୭୮ର ଧାରା ୪, ୫ ଓ ୬ ରେ ପଞ୍ଜୀକୃତ ହୋଇଛି। ଯାହାକି ଉପର କୋର୍ଟର କ୍ଷେତ୍ରାଧିକାର ମଧ୍ୟରେ ଆସୁଛି। ଏଣୁ ଉକ୍ତ ମାମଲାର ବିଚାରଣା ଛତ୍ରପୁର କୋର୍ଟରେ ନହୋଇ ମାମଲାକୁ ବ୍ରହ୍ମପୁର ସିଜେଏମ୍ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ଛତ୍ରପୁରରେ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ୍ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ୨୦୧୦ ମସିହା ଡିସେମ୍ବର ୧ ତାରିଖରେ କଣମଣା ଗ୍ରାମର ଦେବରାଜ ସାହୁ ଉକ୍ତ ସଂସ୍ଥାରେ ଏକଲକ୍ଷ ଟଙ୍କା ଜମା କରିଥିଲେ। ପରେ ଏହି ସଂସ୍ଥା ବନ୍ଦ ହେବା ସହ ରାତାରାତି ଜମାଟଙ୍କା ହଡ଼ପ ନେଇ ଛତ୍ରପୁର ଥାନାରେ ୨୦୧୩ ମସିହା ମେ ୧୦ ତାରିଖରେ କେସ୍ ନମ୍ବର ୬୮/୨୦୧୩ ମାମଲା ରୁଜୁ ହୋଇଥିଲା। ଛତ୍ରପୁର କୋର୍ଟରେ (ଜିଆର୍ ୧୩୫/୧୩) ମାମଲା ବିଚାରାଧୀନ ଥିଲା। ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ ଛତ୍ରପୁର ଏସଡିଜେଏମ୍ କୋର୍ଟ ତଥା ଏଡିଜେ କୋର୍ଟ ଖାରଜ କରିଥିଲେ। ଏହାପରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ଆଜି ଏହି ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଛି। ବ୍ରହ୍ମପୁର ସିଜେଏମ୍ କୋର୍ଟରେ ମାମଲାର ବିଚାରଣା ହେବ ବୋଲି କ୍ୟାଡ଼ର୍ ଏପିପି ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।