ଅର୍ଥତତ୍ତ୍ୱ ଠକେଇ : ମନ୍ତ୍ରୀଙ୍କ ପୁଅକୁ ସିବିଆଇର ଜେରା

ଭୁବନେଶ୍ୱର : ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ଆଜି ଶାସକ ଦଳର ଜଣେ ବରିଷ୍ଠ ନେତା ତଥା ମନ୍ତ୍ରୀଙ୍କ ପୁଅକୁ ଆଜି ଜେରା କରିଛି। ତେବେ ସିବିଆଇ ପକ୍ଷରୁ ତାଙ୍କୁ ଯେଉଁ ତଥ୍ୟ ଓ କାଗଜପତ୍ର ମଗାଯାଇଥିଲା ସେ ତାହା ଦେଇ ପାରି ନଥିଲେ। ତେଣୁ ସେ ପୁଣି ଥରେ ସିବିଆଇରେ ହାଜର ହେବେ ବୋଲି ସୂଚନା ମିଳିଛି। ଏହା ଛଡ଼ା ସିବିଆଇ ଜଣେ ହୋଟେଲ ମାଲିକ ଓ ବିଲଡର୍‌ଙ୍କୁ ମଧ୍ୟ ନୋଟିସ୍‌ କରିଛି।

ଯାହା ସୂଚନା ମିଳିଛି, ଉକ୍ତ ମନ୍ତ୍ରୀ ପୁଅଙ୍କର ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା। ମନ୍ତ୍ରୀଙ୍କ ପୁଅ ତାଙ୍କ ଅଫିସରେ ଏକାଧିକ କମ୍ପ୍ୟୁଟର ନେଇ ଲଗାଇଛନ୍ତି, ଯାହାର ବିଲ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଆକାଉଣ୍ଟ୍‌ରୁ ପୈଠ ହୋଇଥିବା ଜଣାପଡ଼ିଛି। ଏ ନେଇ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି।

ପ୍ରଦୀପ ସେଠୀଙ୍କ ଜାମିନ ମାମଲାରେ ସରକାର ରଖିବେ ପକ୍ଷ

କଟକ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ କୁମାର ସେଠୀଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଦର୍ଶାଇ ପ୍ରଦୀପ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏହି ପ୍ରସଂଗରେ ସରକାର ଜାବବ ରଖିବେ। ଜଷ୍ଟିସ୍‌ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୮ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ପ୍ରଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ପୂର୍ବରୁ ଝାରପଡା ଜେଲ ଅଧୀକ୍ଷକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିମଳ ପ୍ରସନ୍ନ ତ୍ରିପାଠୀ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର