ହରିଗୋବିନ୍ଦଙ୍କ ନିଆରା ପ୍ରୟାସ : ନିର୍ମାଣ କଲେ ଗୋଟାଗୁଆରେ ତାଳଧ୍ୱଜ, ଗଣ୍ଠିହଳଦୀରେ ଦର୍ପଦଳନ ଏବଂ ଜାଇଫଳରେ ନନ୍ଦିଘୋଷ ରଥ

ବ୍ରହ୍ମପୁର : ବ୍ରହ୍ମପୁର ଆସ୍କା ରୋଡ଼ର ଶ୍ରୀରାମନଗରସ୍ଥିତ ଜଗନ୍ନାଥବିହାର ଅଞ୍ଚଳର ଶିଳ୍ପୀ ହରିଗୋବିନ୍ଦ ମହାରଣା ପୂର୍ବରୁ ଶସ୍ୟଜାତୀୟ ଫସଲରେ ରଥ ନିର୍ମାଣ କରି ଚର୍ଚ୍ଚିତ ଥିଲେ। ଆସନ୍ତକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ପୁଣି ଏକ ନିଆରା ପ୍ରୟାସ କରିଛନ୍ତି। ଗୋଟାଗୁଆ, ଗଣ୍ଠି ହଳଦୀ ଓ ଜାଇଫଳରେ ଯଥାକ୍ରମେ ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି।

ହରିଗୋବିନ୍ଦଙ୍କ ସୂଚନା ଅନୁଯାୟୀ ଗୋଟାଗୁଆରେ ନିର୍ମିତ ତାଳଧ୍ୱଜର ଉଚ୍ଚତା ୧.୫ଇଞ୍ଚ ଥିବା ବେଳେ ସେଥିରେ ବିରାଜମାନ କରିଥିବା ଶ୍ରୀବଳଭଦ୍ରଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ମାତ୍ର ୬ମି.ମି.। ସେହିପରି ଗଣ୍ଠିହଳଦୀରେ ନିର୍ମିତ ଦର୍ପଦଳନ ରଥର ଉଚ୍ଚତା ୧.୨୫ଇଞ୍ଚ ଏବଂ ସେଥିରେ ବିରାଜିତ ମା ଶୁଭଦ୍ରାଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୪ମି.ମି. ରହିଛି। ଦୁଇଟି ଜାଇଫଳକୁ ଯୋଡ଼ି ୧.୭୫ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଏଥିରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୬ମି.ମି. ରହିଛି। ତିନିରଥରେ ଆବଶ୍ୟକ ସଂଖ୍ୟକ ତୁଳସୀକାଠରେ ନିର୍ମିତ ଚକ ମଧ୍ୟ ଲାଗିଛି। ଯାହାକି ଗଡ଼ି ପାରୁଛି। ରଥ ଗୁଡ଼ିକରେ ଘୋଡ଼ା ମଧ୍ୟ ଯୋଚା ହୋଇଛି। ଉପରେ ଓଲଟ ଶୁଆ ଶୋଭା ପାଉଛନ୍ତି। ଏହି ତିିନି ରଥକୁ ଦେଖି ବିଧାୟକ ବିକ୍ରମ ପଣ୍ଡା ପ୍ରଶଂସା କରିଛନ୍ତି। ଲକ୍‌ଡାଉନ୍‌ କଟକଣା ପାଇଁ ଏଥର ସହରରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ ନାହିଁ ବୋଲି ଜାଣିବା ପରେ ତାଙ୍କୁ ଏହା ବ୍ୟଥିତ କରିଥିଲା। ପ୍ରଭୁଙ୍କ ଆଶୀର୍ବାଦରୁ ଏଭଳି ତିନି ରଥ ନିର୍ମାଣ କରିବାରେ ସେ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ନୀତିକାନ୍ତିରେ ରଥରେ ବିରାଜିତ ଠାକୁରଙ୍କ ପୂଜାର୍ଚ୍ଚନା କରି ଏହି ରଥ ଗୁଡ଼ିକରେ ଲାଗିଥିବା ଦଉଡ଼ି ଟାଣି ରଥଯାତ୍ରା ପାଳିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର