ମାଲକାନଗିରି: ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଏଠାରେ ପାଣି ଜମି ରହିଥିବାରୁ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହିତ କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବରେ ମହିଳାମାନଙ୍କୁ ଅଧିକ ସମସ୍ୟା ହେଉଛି। ଅଫିସର ପ୍ରବେଶ ଦ୍ଵାର ସାମ୍ନାରେ କାଦୁଅ ପଚପଚ ଥିବାରୁ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଗୋଡ଼ ଖସି ତଳେ ପଡ଼ି ଯାଇଥିବାର ନଜିର ମଧ୍ୟ ରହିଛି।
ପ୍ରତିବର୍ଷ ବର୍ଷା ହେଲେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ତଥା କାର୍ଯ୍ୟାଳୟକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରକାଶ କରିଛନ୍ତି। ଏହି ବିଷୟରେ ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମାଲକାନଗିରି ପୌରପରିଷଦକୁ ଏହି ସମସ୍ୟାର ସମାଧାନ କରିବାପାଇଁ ଅବଗତ କରାଯାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇ ନାହିଁ। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମସ୍ତ କର୍ମଚାରୀଙ୍କ ସହିତ ଏଠାକୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।