ସିଧାସଳଖ ଆକାଉଣ୍ଟ୍‌କୁ ଯିବ କଳାକାର ଭତ୍ତା‌: ଉପକୃତ ହେବେ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ର ହିତାଧିକାରୀ

ସ୍ବଚ୍ଛତା ବଜାୟ ରହିବ ଓ ଠିକ୍ ସମୟରେ ଭତ୍ତା ମିଳିପାରିବ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ର ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଏଣିକି ସିଧାସଳଖ ମାସିକ ଭତ୍ତା ଯିବ। ଏହି ଅନ୍‌ଲାଇନ୍ ଅର୍ଥପ୍ରେରଣ ବ୍ୟବସ୍ଥା (ଗୋ-ଲାଇଭ) କାର୍ଯ୍ୟକ୍ରମ ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ସଂସ୍କୃତି ଭବନ ପରିସରରେ ନୂଆ ବ୍ୟବସ୍ଥାକୁ ଶୁଭାରମ୍ଭ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର କହିଲେ, କଳାକାରମାନଙ୍କୁ ଆଉ ନିଜ ଭତ୍ତା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହିତାଧିକାରୀଙ୍କୁ ଠିକ୍ ସମୟରେ ସେମାନଙ୍କର ଭତ୍ତା ପ୍ରଦାନର ବ୍ୟବସ୍ଥା ହୋଇଛି। ଫଳରେ ଯୋଜନାର ସ୍ବଚ୍ଛତା ବଜାୟ ରଖିବାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ଏହା ଅତ୍ୟନ୍ତ ଆବଶ୍ୟକତା ଥିଲା ବୋଲି ମନ୍ତ୍ରୀ କହିଥିଲେ। ନୂଆ ନୂଆ ବେଷୟିକ ଜ୍ଞାନକୌଶଳକୁ ଆପଣେଇ ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରିକ ତ୍ୱରିତ ସେବା ପ୍ରଦାନ କରିବାର ସମୟ ଆସିଛି। ନୂଆ ଚିନ୍ତାଧାରା ଓ ପଦ୍ଧତି ଆଧାରରେ ବିଭାଗର ଉନ୍ନତି ପାଇଁ ଏହି ଭଳି ନୂଆ ନୂଆ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ପାତ୍ର କହିଥିଲେ।

କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗ ଦେଇ କହିଲେ, ପୂର୍ବରୁ ଏହି ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଠିକ୍ ଭାବେ ଜାଣିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ନଥିଲା। ସେଥିପାଇଁ ହିତାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ଭତ୍ତା ପାଉଥିବା ୩୫ହଜାର କଳାକାରଙ୍କ ମଧ୍ୟରୁ ପ୍ରାୟ ୨୨ ହଜାର କଳାକାରମାନଙ୍କର ତଥ୍ୟ ସଂଗୃହୀତ ହୋଇଛି। ଏହାଦ୍ବାରା ସେପ୍ଟେମ୍ବରର ଦେୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଯିବ ଓ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶ୍ରୀ ପାଢ଼ୀ କହିଥିଲେ।
ଅବଶିଷ୍ଟ ୧୬ ହଜାର ହିତାଧିକାରୀଙ୍କୁ ଶୀଘ୍ର ଚୟନ କରାଯାଇ ଏହି ଯୋଜନାରେ ସାମିଲ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ସହ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି। ଯାହାକି ଜାନୁଆରି ୧ ତାରିଖ ପୂର୍ବରୁ ପୂରଣ କରାଯିବ ବୋଲି ଲକ୍ଷ୍ୟ ଧା‌ର୍ଯ୍ୟ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ କୋଷାଗାର ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଯୋଗ ଦେଇ କହିଲେ ଯେ, ଏହି ବ୍ୟବସ୍ଥା ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମର ଅଂଶବିଶେଷ ଓ ରାଜ୍ୟରେ ଆର୍ଥିକ ପରିଚାଳନା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ଓଏସିସ୍ ସଂସ୍ଥା ଦ୍ଵାରା ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି। କାର୍ଯ୍ୟକ୍ରମରେ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ଓଡ଼ିଶା ମୁଖ୍ୟ ଅନୁପ ଗାୟନ୍ତ ଯୋଗ ଦେଇଥିଲେ। ଆଜି ପ୍ରତୀକାତ୍ମକ ଭାବେ ୫ ଜଣ ହିତାଧିକାରୀଙ୍କର ପେନସନ୍ ପେପର ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପ୍ରସ୍ତୁତି କରାଯାଇଥିଲା। ସେମାନଙ୍କର ବ୍ୟାଙ୍କ ଜମା ଖାତାକୁ ଆଜି ସେମାନଙ୍କ ପ୍ରାପ୍ୟ ପଠାଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଶାସନ ସଚିବ ମନସ୍ଵିନୀ ସାହୁ, ଉପଶାସନ ସଚିବ ସଞ୍ଜୟ କୁମାର ମିଶ୍ରଙ୍କ ସମେତ ସଂସ୍କୃତି ବିଭାଗର ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ଉପଦେଷ୍ଟା ଫଣୀନ୍ଦ୍ର ନନ୍ଦ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର