ବ୍ରହ୍ମବରଦା: ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହୋଇଛନ୍ତି ଗରିବ ଶିଳ୍ପୀ ପରିବାର। ରସୁଲପୁର ବ୍ଲକ ବନ୍ଧଡିହ ପଞ୍ଚାୟତ ବଣିଆସାହି କଣ୍ତିଆ ଘେରି ୪ ନମ୍ବର ୱାର୍ଡର ବିଷ୍ଣୁ ଚରଣ ସାହୁ। ୩୦ ବର୍ଷ ହେଲା ମାଟିରେ ମୂର୍ତ୍ତି ଗଢ଼ି ପରିବାର ଚଳାଇ ଆସୁଛନ୍ତି। ତାଙ୍କ ପରିବାର ଅତି ଗରିବ। ୨୦୨୦ ବନ୍ୟା ଏହି ପରିବାରର ଦୁଃଖକୁ ଦ୍ବିଗୁଣିତ କରିଛି। ଝାଟିମାଟି କୁଡ଼ିଆଘରଟି ବନ୍ୟା ପାଣିରେ ଭାସି ଯାଇଥିଲା। ପ୍ରଶାସନ ପକ୍ଷରୁ ୩ ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ଘର ଛପର କରିବାକୁ ପାଖରେ ସମ୍ବଳ ନାହିଁ। ଏବେ ଜରିପାଲ ତଳେ ସେମାନେ ରହୁଛନ୍ତି। ସେଇଠି ମୂର୍ତ୍ତି ଗଢ଼ୁଛନ୍ତି। ରୋଷେଇବାସ ସବୁ ସେଇଠି ହେଉଛି। ଘରେ ପତ୍ନୀ ଦୁଇ ପୁଅ ଓ ଜଣେ ଝିଅ। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳିବା ପରେ ଘର ତିଆରି କରିବା ସମ୍ଭବ ହେଉନାହିଁ ଘରେ କବାଟ ଖଣ୍ଡେ ନାହିଁ। ଫଟା ଜରିପାଲ ବାଉଁଶ ବତା ଆଉଜା କବାଟ। ଘର ଖଣ୍ଡେ ପାଇଁ ବ୍ଲକ କାର୍ଯ୍ୟାଳୟଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯାଇ ନୟାନ୍ତ ହେଲେଣି। ଏନେଇ ସେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଦୁଇଥର ଦୁଃଖ ଜଣାଇଥିବା କହିଛନ୍ତି।
ସୂଚନାଥାଉକି ୨୦୦୦ ମସିହାରେ ବାପା ଭୀମ ସାହୁଙ୍କ ନାମରେ ଏକ ଇନ୍ଦିରା ଆବାସ ଗୃହ ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି। ହେଲେ ବାପା ଘର କରିପାରି ନଥିଲେ। ତାହା ରେକର୍ଡରେ ଥିବା ଦର୍ଶାଇ ତାଙ୍କୁ ଆଉ ଘର ମିଳୁନାହିଁ। ଫଳରେ ସେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଯଦି ସେ ୧୫ ହଜାର ଟଙ୍କା ଫେରସ୍ତ ଦିଅନ୍ତି ତେବେ ତାଙ୍କ ନାମ ଅନ୍ୟ ଏକ ଗୃହ ପାଇଁ ତାଲିକାରେ ଆସିବ ବୋଲି କୁହାଯାଇଛି। ସେ ୧୫ ହଜାର ଟଙ୍କା ପରିଶୋଧ କରିବାକୁ ସକ୍ଷମ ନଥିବା କହିଛନ୍ତି।